ଓସିଏସ୍‌ଙ୍କ ଓରିଏଣ୍ଟେସନ୍‌ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ: ସାଧାରଣ ଜନତାଙ୍କୁ କେବେ ଅଣଦେଖା ନକରିବାକୁ ପରାମର୍ଶ

1 min read

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନିକ ସେବା ହେଉଛି ଏକକ ସେବା । ଏହା କେବଳ ଏକ ବୃତ୍ତି ନୁହେଁ । ମାଆ, ମାଟି ଓ ସାଧାରଣ ଜନତାର ସେବା କରିବା ହେଉଛି ଏହାର ଲକ୍ଷ୍ୟ । ସାଧାରଣ ଜନତାର ବିଶ୍ୱାସକୁ କୌଣସି ପରିସ୍ଥିତିରେ ଏଡ଼ାଇ ଦେବା ଅନୁଚିତ ।

ନୂଆ ଅଫିସରଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଫିସରମାନଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଜନତାଙ୍କ ଆଶା ଓ ବିଶ୍ୱାସକୁ ଶକ୍ତିଶାଳୀ କରିବା ଦିଗରେ ଉଦ୍ଦିଷ୍ଟ ହେବା ଆବଶ୍ୟକ । ଏହି ଦିବସ ପ୍ରତି ଅଫିସରଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅୟମାରମ୍ଭ । ଜଣେ ପ୍ରଶାସନିକ ସେବକ ଭାବେ ପ୍ରତି ଅଫିସର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ । ନିଜର ଭୂମିକା ଓ ଦାୟିତ୍ୱବୋଧକୁ ସେମାନେ ସୂଚାରୁରୂପେ ପାଳନ କରିବା ଉଚିତ ।

ରାଜ୍ୟର ବିକାଶ ଓ ଗରିବଙ୍କ କଲ୍ୟାଣ ଉପରେ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି- କଠିନ ପରିଶ୍ରମ ଓ ତ୍ୟାଗ ବଳରେ ହିଁ ଏହି ଆଶା ସାକାର ହୋଇପାରିବ । ଏହା ଜରିଆରେ ଓଡିଶା ୧ ନମ୍ବର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ-ଟି ଓ ମୋ ସରକାର ଜରିଆରେ ପ୍ରଶାସନିକ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି । ଲୋକଙ୍କ ନିକଟରେ ସେବା ଯୋଗାଇ ଦେବା ଲାଗି ସରକାର ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । ଏହାସହ ଆଜି ଲୋକସେବା ଭବନରେ ପେନସନଧାରୀଙ୍କ ପାଇଁ ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଇ-ଗଭର୍ଣ୍ଣମେଣ୍ଟ ଡାଏରୀରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

ଅନ୍ୟପକ୍ଷରେ ନବ ନିଯୁକ୍ତ ଅଧିକାରୀଙ୍କୁ 5-ଟି ସଚିବ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି । ନୂଆ ଅଫିସରମାନେ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସାଧାରଣ ଲୋକଙ୍କୁ ବୃତ୍ତିଗତ ଓ ସହାନୁଭୂତିର ସହ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ପେନସନଭୋଗୀଙ୍କ ପାଇଁ ଅନଲାଇନ ଜୀବନ ପ୍ରମାଣପତ୍ର ବ୍ୟବସ୍ଥା ଆରମ୍ଭ । ରାଜ୍ୟରେ ପ୍ରଥମ କରି ଆରମ୍ଭ ହେଲା AIBV ବ୍ୟବସ୍ଥା । ଏହି AIBV ବ୍ୟବସ୍ଥା ଦେଶରେ ପ୍ରଥମ  । AIBV-ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ ଭିଡିଓ ଭେରିଫିକେସନ ।

Leave a Reply