ବିଜେପିରେ ବିରାଟ ଫାଟ, ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଦସ୍ୟ

ବାରିପଦା:  ମୟୂରଭଞ୍ଜରେ ଭୁଶୁଡିବା ଆରମ୍ଭ କଲାଣି ଜିଲ୍ଲା ବିଜେପି । ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଦସ୍ୟ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ମନମୁଖୀ କାର୍ଯ୍ୟ ଓ ସ୍ବେଚ୍ଛାଚାରୀ ଶାସନରେ ଅତିଷ୍ଠ ହୋଇ ଇସ୍ତଫା ଦେଲେ ଜିଲ୍ଲା ପରିଷଦ ସଦସ୍ୟ । ଜିଲ୍ଲା ପରିଷଦକୁ ଉନ୍ନୟନ କାର୍ଯ୍ୟ ବାବଦକୁ ଆସୁଥିବା ଅର୍ଥ ବଣ୍ଟନରେ ଅଧ୍ୟକ୍ଷା ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି । ଦଳୀୟ ବରିଷ୍ଠ ନେତା ଏ ସମ୍ବନ୍ଧରେ ଜାଣିଥିଲେ ମଧ୍ୟ ଚୁପ୍ ରହି ଅଧ୍ୟକ୍ଷାଙ୍କୁ ସମର୍ଥନ କରୁଥିଲେ ବୋଲି ଅଭିଯୋଗ ହୋଇଛି ।

ଏହା ସହିତ ଜିଲ୍ଲା ପରିଷଦରେ ଅଯଥା ହସ୍ତକ୍ଷେପ ମଧ୍ୟ କରୁଥିଲେ । ବିଜେପିର ଶୀର୍ଷସ୍ତରୀୟ ନେତାମାନେ ନିରବ ରହି ଦୁର୍ନୀତିକୁ ପ୍ରଶୟ ଦେଉଥିବା ଅଭିଯୋଗ କରିଛନ୍ତି ସଦସ୍ୟ । ଏହା ସହିତ ଦଳରେ ସ୍ୱାଧୀନ ମତକୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଦଳ ଛାଡିଥିବା ସଦସ୍ୟ । ଗତ ୫ ବର୍ଷ ମଧ୍ୟରେ ଜିଲ୍ଲା ପରିଷଦ ତରଫରୁ କୌଣସି ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇନାହିଁ । ଲୋକସଭାରେ ବିଜେପି ପ୍ରତିନିଧି ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ଜିଲ୍ଲାରେ ବିକାଶ ବାଧାପ୍ରାପ୍ତ ହୋଇଛି । ୬ଜଣ ନିର୍ବାଚିତ ବିଧାୟକଙ୍କ ସହିତ ସାଂସଦଙ୍କ ମତାନ୍ତର କାରଣରୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଜିଲ୍ଲାରେ ବିକାଶ୍ ଠପ୍ ହୋଇଯାଇଛି ।

ଏଣୁ ଭାରତୀୟ ଜନତା ପାର୍ଟି ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ୧୫ ଜିଲ୍ଲା ପରିଷଦ ସଦସ୍ୟ । ଜିଲ୍ଲା ପରିଷଦ ସଭ୍ୟ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଗତ ୨୦୧୭ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ମୋଟ ୫୬ଟି ଆସନରୁ ୪୯ଟି ଆସନ ଦଖଲ କରିଥିଲା ବିଜେପି । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିର ଜନବିରୋଧୀ ଆଚରଣ ପଦାରେ ପଡିଛି । ଯାହାର ପ୍ରତିବାଦରେ ଦଳରୁ ଇସ୍ତଫା ଦେଇଛନ୍ତି ୧୫ ଜିଲ୍ଲା ପରିଷଦ ସଦସ୍ୟ ।

Leave a Reply