ଦିଲ୍ଲୀ ପାଇଁ ବଢ଼ୁଛି ଓମିକ୍ରନ ବିପଦ ! ୧୫ ସନ୍ଦିଗ୍ଧ ମେଡିକାଲରେ ଭର୍ତ୍ତି

1 min read
15 Suspected Omicron Patient Admitted In Delhi LNJP Hospital

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟ ବଢ଼ିବାରେ ଲାଗିଛି । ଦେଶରେ କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ର ପରେ ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ଡରାଉଛି ଓମିକ୍ରନ । ସୂଚନା ଅନୁସାରେ, ହାଇ ରିସ୍କ ଦେଶରୁ ଦିଲ୍ଲୀକୁ ୧୫ ଯାତ୍ରୀ ଏଲଏନଜେପି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ନମୁନା ଜିନୋମ ସିକ୍ୱୋଏନ୍ସି ପାଇଁ ପଠାଯାଇଛି । ୪ରୁ ୫ ଦିନ ମଧ୍ୟରେ ରିପୋର୍ଟ ଆସିଯିବ ।

୧୫ ସନ୍ଦିଗ୍ଧଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିମଧ୍ୟରୁ ୯ ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଯେତେବେଳେ କି ଅନ୍ୟ ୬ ଜଣଙ୍କ ଠାରେ ଜର ସହ ଗଳାରେ କଷ୍ଟ ଅନୁଭବ ଲକ୍ଷଣ ରହିଛି । ଶୁକ୍ରବାର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ୧୨ ଜଣ ଭର୍ତ୍ତି ହୋଇଥିଲେ । ୟୁକେରୁ ଫେରିଥିବା ୩ ଜଣ ଭର୍ତ୍ତି ହେବା ପରେ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।

ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ବୋତ୍ସାୱାନା, ଚୀନ, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ହଂକଂ ଓ ଇସ୍ରାଏଲକୁ କେନ୍ଦ୍ର ସରକାର ହାଇ ରିସ୍କ ଦେଶ ତାଲିକାରେ ରଖିଛନ୍ତି । ଏହି ଦେଶରୁ ଫେରୁଥିବା ଯାତ୍ରୀଙ୍କ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏବେ ଯାଏ ଭାରତରେ ଓମିକ୍ରନର ୪ଟି ମାମଲା ମିଳିଛି । କର୍ଣ୍ଣାଟକରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଜରାଟ ଓ ମହାରାଷ୍ଟ୍ରରୁ ଗୋଟିଏ ଲେଖାଏ ମାମଲା ଆସିଛି ।

Leave a Reply