ମୋତିଆବିନ୍ଦୁ ଅପରେସନ ପଡ଼ିଲା ମହଙ୍ଗା: ସବୁଦିନ ପାଇଁ ୧୫ ଜଣ ହୋଇଗଲେ ଦୃଷ୍ଟିବାଧିତ

ମୁଜାଫରପୁର: ଆଖିକୁ ଭଲ ଦିଶୁ ନଥିଲା । ମୋତିଆବିନ୍ଦୁ ଅପରେସନ କରିଥିଲେ । ଆଶା ଥିଲା ପୁଣି ଆଗ ଭଳି ଦେଖି ପାରିବେ ଓ ପରିବାର ଭରଷପୋଷଣରେ ସହାୟ ହେବେ । ହେଲେ ସବୁ ଆଶା ଅନ୍ଧାରକୁ ଚାଲିଯାଇଛି । ଆଖି ଅପରେସନ କରି ଏବେ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇଛନ୍ତି ୧୫ ବ୍ୟକ୍ତି । ଘଟଣାଟି ବିହାରର ମୁଜାଫରପୁରରେ ଘଟିଛି । ଆଖି ଅପରେସନ କରି ଆଖି ହରାଇବା ପରେ ଏବେ ଏମାନଙ୍କ ଜୀବନରେ ଅନ୍ଧାରର କଳାବାଦଲ ଘୋଟି ଯାଇଛି ।

ଅଭିଯୋଗ ଅନୁସାରେ ମୁଜାଫରାବାଦର ଆଇ ହସ୍ପିଟାଲରେ ନଭେମ୍ବର ୨୨ ତାରିଖରେ ୬୫ ଜଣଙ୍କ ମୋତିଆବିନ୍ଦୁ ଅପରେସନ କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଆଖିରେ ଇମ୍ଫେକ୍ସନ୍ ହୋଇଯାଇଛି । ଅପରେସନ କରାଯାଇ ୧୧ ଜଣଙ୍କ ଆଖି ବାହାର କରିଦିଆ ଯାଇଥିବା ବେଳେ ୪ ଜଣଙ୍କ ଆଖି ଶୀଘ୍ର ବାହାର କରାଯିବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ୨୨ ନଭେମ୍ବରରେ ମୋତିଆବିନ୍ଦୁ ଅପରେସନ କରାଯାଇଥିବା ବେଳେ ୨୯ ନଭେମ୍ବରକୁ କିଛି ରୋଗୀଙ୍କ ପରିବାର ଲୋକେ ଆସି ହସ୍ପିଟାଲରେ ହୋହାଲ୍ଲା କରିବା ସହ ଅପରେସନ ପରେ ସେମାନଙ୍କ ସମ୍ପର୍କୀୟଙ୍କ ଆଖିରେ ଇମ୍ଫେକ୍ସନ୍ ହୋଇଯାଇଥିବା ଅଭିଯୋଗ କରିଥିଲେ । ଘଟଣା ଗଣମାଧ୍ୟମକୁ ଆସିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା । ସିଭିଲ ସର୍ଜନ  ଡ. ବିନୟ କୁମାର ଶର୍ମା ଏସିଏମଓଙ୍କ ନେତୃତ୍ବରେ ଏକ ଯାଞ୍ଚ କମିଟି ଗଠନ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ପୀଡ଼ିତଙ୍କ ଚିକିତ୍ସା ଏସକେଏମସିଏଚରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ।

ଡ. ଶର୍ମା କହିଛନ୍ତି, ‘ଯେଉଁ ପୀଡ଼ିତ ଆସୁଛନ୍ତି ସେମାନଙ୍କ ଚିକିତ୍ସା ପାଇଁ ଏସକେଏମସିଏଚରେ ୨୪ ଘଣ୍ଟିଆ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୫ ଜଣ ପୀଡ଼ିତ ଭର୍ତ୍ତି ହୋଇଛନ୍ତି । ୧୧ ଜଣଙ୍କ ଇମ୍ଫେକ୍ଟେଡ ଆଖିକୁ ଅପରେସନ କରି ବାହାର କରିଦିଆଯାଇଛି । ବାକି ୪ ଜଣଙ୍କ ଶୀଘ୍ର ଅପରେସନ କରାଯାଇ ଆଖି ବାହାର କରାଯିବ ।’

ଆଖି ହରାଇ ଥିବା କିମ୍ବା ହରାଇବାକୁ ବସିଥିବା ଲୋକଙ୍କ ମଧ୍ୟରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ଏହି ଯେମିତି ଶତୃଘ୍ନ ମହତୋ । ଶତୃଘ୍ନଙ୍କ ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ହିଁ ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ବହୁ ଆଶା ନେଇ ଆଇ ହସ୍ପିଟାଲକୁ ମୋତିଆବିନ୍ଦୁ ଅପରେସନ୍ କରିବାକୁ ଆସିଥିଲେ । ହେଲେ ଗୋଟିଏ ଭୁଲ ଅପରେସନ ସେ ଦେଖିଥିବା ସବୁ ସ୍ବପ୍ନକୁ ଚୂରମାର କରି ଦେଇଛି । ଏବେ ଆଉ ଏକ ଅପରେସନ କରାଯାଇ ତାଙ୍କର ଇମ୍ଫେକ୍ଟେଡ ଆଖିକୁ ବାହାର କରିଦିଆଯାଇଛି । ଏବେ ଗୋଟିଏ ଚିନ୍ତା, କେମିତି ହେବ ପୁଅର ଚିକିତ୍ସା ଓ କେମିତି ପରିବାର ଚଳିବ । କେବଳ ଶତୃଘ୍ନ ନୁହଁନ୍ତି, ପ୍ରାୟ ସବୁ ପୀଡ଼ିତଙ୍କ କାହାଣୀ ଏମିତି । ବର୍ତ୍ତମାନ ସୁଦ୍ଧା ୧୫ ଜଣ ଏସକେଏମସିଏଚରେ ଭର୍ତ୍ତି ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ଏପଟେ ଆଖିକୁ ନେଇ ରାଜ୍ୟ ରାଜନୀତି ବି ବେଶ ସରଗରମ ହେବାରେ ଲାଗିଛି । ସରକାର ଓ ବିରୋଧୀ ମୁହାଁମୁହିଁ ସ୍ଥିତିରେ । ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିତିଶ ସରକାର ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହାସହ ପୀଡ଼ିତଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ସେ କହିଛନ୍ତି ।

Leave a Reply