ରେଳ ଷ୍ଟେସନରେ କେବେ ହୋଇଥିଲା ଦଳାଚକଟା ,କେତେ ଲୋକ ମୃତ୍ୟୁବରଣ କରିଥିଲେ ଜାଣନ୍ତୁ

ନ୍ଦିଘୋଷ ବ୍ୟୁରୋ:  ମହାକୁମ୍ଭ ମେଳା ସମୟରେ ଗତକାଲି ଦିଲ୍ଲୀରେ ଘଟିଥିବା ଭୟାନକ ଦଳାଚକଟା ସାରା ଭାରତକୁ ବ୍ୟଥିତ କରିଛି । ଏହି ଦଳାଚକଟାରେ ୧୫ଜଣଙ୍କ ସମେତ ୩ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ତେବେ କଣ ଆପଣ ଜାଣିଛନ୍ତି କି, ରେଳ ଷ୍ଟେସନରେ କେବେ କେବେ ହୋଇଥିଲା ଦଳାଚକଟା ?ଜାଣନ୍ତୁ  ।

ରେଳଷ୍ଟେସନରେ ଦଳାଚକଟା

ଶନିବାର ରାତିରେ , ପ୍ରୟାଗରାଜ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନର ୧୪ ଏବଂ ୧୫ ନଂ ପ୍ଲାଟଫର୍ମରେ ଯାତ୍ରୀମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।  ଫଳରେ ଦଳାଚକଟାରେ ୧୫ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଚିକିତ୍ସାଧୀନ ଅଛନ୍ତି  ।

ରେଳଷ୍ଟେସନରେ କେବେ ହୋଇଥିଲା ବଡ ଦଳାଚକଟା ?

ସୂଚନା ଅନୁସାରେ , ୨୦୦୨ , ୨୮ ଡିସେମ୍ବର ଦିନ ରାଜନୈତିକ ଦଳ ବସପା ରାଲିରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ହଜାର ହଜାର କାର୍ଯ୍ୟକର୍ତ୍ତା ପହଞ୍ଚିଥିଲେ  । ରାଲି ସାରି କାର୍ଯ୍ୟକର୍ତ୍ତା ଘରକୁ ଫେରିବା ସମୟରେ ଷ୍ଟେସନରେ ଅଧିକ ଭିଡ ହୋଇଯାଇଥିଲା  । ଏହି ସମୟରେ କିଛି ଯାତ୍ରୀ ବଗି ମଝିରେ ଥିବା ରାସ୍ତାରେ ବସି ଯାଇଥିବା ବେଳେ ଆଉ କିଛି ଯାତ୍ରୀ ଟ୍ରେନ ଉପରେ ବସି ଟ୍ରେନରେ ଯାଇଥିଲେ। କିନ୍ତୁ ଟ୍ରେନ ଉପରେ ବସିଥିବା କିଛି ଯାତ୍ରୀଙ୍କ ଦେହରେ ଉପରେ ଥିବା କରେଣ୍ଟ ତାର ଲାଗିଯାଇଥିଲା  । ଫଳରେ ସେମାନଙ୍କ ମଧ୍ୟରୁ ୪ ଯାତ୍ରୀ ମୃତ୍ୟୁବରଣ କରିଥିଲେ  ।

୧୩ ନଭେମ୍ବର ୨୦୦୪ରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଛଟ୍ ପୂଜା ଦିନ ବିହାର ଯାଉଥିବା ଟ୍ରେନର ପ୍ଲାଟଫର୍ମ ନଂରେ ଅଚାନକ ପରିବର୍ତ୍ତନ ହୋଇଥିଲା  । ଫଳରେ ଅନ୍ୟ ପ୍ଲାଟଫର୍ମକୁ ଯିବା  ପାଇଁ  ଓଭରବ୍ରିଜ୍ ଉପରେ ଯାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ହୋଇଥିଲା  । ଏହି ଠେଲାପେଲା ଫଳରେ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଥିଲେ  ।

୩ ଅକ୍ଟୋବର ୨୦୦୭ରେ  ମୁଗଲ୍ ସରାୟ ଜଙ୍କସନରେ ବି ଦଳାଚକଟା ହୋଇଥିଲା  ।  କାରଣ ସେହି ଦିନ ଜିଉନ୍ତିଆ ବ୍ରତ ଯୋଗୁଁ ବନାରସରେ ଗଙ୍ଗା ସ୍ନାନ କରି ବହୁ ସଂଖ୍ୟକ ଯାତ୍ରୀ  ମୁଗଲ୍ ସରାୟ ଜଙ୍କସନରେ ପହଞ୍ଚିଥିଲେ  । ସେହି ସମୟରେ ଦଳାଚକଟା ଯୋଗୁଁ ୧୪ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିଲେ  ।

୧୦ ଫେବୃଆରୀ ୨୦୧୩ରେ ପ୍ରୟାଗରାଜ କୁମ୍ଭମେଳା ସମୟରେ ରେଳ ଜଙ୍କସନରେ ମଧ୍ୟ ପ୍ରବଳ ଦଳାଚକଟା ହୋଇଥିଲା । ଫଳରେ ୩୮ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଆହତ ହୋଇଥିଲେ  ।

୨୯ ସେପ୍ଟେମ୍ବର ୨୦୧୭ରେ ମୁମ୍ବାଇର ଏଲଫିଷ୍ଟୋନ୍ ରେଳଷ୍ଟେସନରେ ଥିବା ଫୁଟ୍ ଓଭରବ୍ରିଜରେ ଦଳାଚକଟା ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ସମସ୍ତଙ୍କୁ ଦୋହଲାଇ ଦେଇଛି। ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଏବେ ବି ଅନେକ ଯାତ୍ରୀ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି।

୨୭ ଅକ୍ଟୋବର ୨୦୨୪ରେ, ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା ହୋଇଥିଲା। ଦୀପାବଳି ଏବଂ ଛଠରେ ଘରକୁ ଯାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦଳାଚକଟାରେ 9 ଜଣ ଯାତ୍ରୀ ଆହତ ହୋଇଥିଲେ।