ଓଡ଼ିଶା ଗସ୍ତରେ ତାମିଲନାଡୁର ୧୫ ଜଣିଆ ଟିମ, ଗାରିମା ଯୋଜନାକୁ କଲେ ପ୍ରଶଂସା

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ତାମିଲନାଡୁର ୧୫ ଜଣିଆ ଟିମ୍‍ । ତାମିଲନାଡୁ ସରକାରଙ୍କ ୧୫ ଜଣିଆ ଟିମ୍ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଏମଏସ୍‍ଜି, ଏସ୍‍ଡିଏ ଓ କିନ୍ନରମାନଙ୍କ ସହିତ ଗୋଷ୍ଠୀ ସହଭାଗିତାରେ ଏଫ୍‍ଏସ୍‍ଟିପି ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ତାମିଲନାଡୁ ପୌର ପ୍ରଶାସନର ଅତିରିକ୍ତ କମିଶନର ଆର୍ ଲଳିତାଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ଗ୍ରାମୀଣ ବିକାଶ ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାନ୍ତ ଏମ.ଏସ୍‍, ଆଦି ଅଛନ୍ତି । ସେମାନେ ମଧ୍ୟ ଜଳ ସାଥୀ, ୨୪ ଘଣ୍ଟିଆ ଟ୍ୟାପ ପାଣି ଯୋଗାଣ ବିଷୟରେ ଅବଗତ ହୋଇଥିଲେ ।

ଭୁବନେଶ୍ବର ଛାଡିବା ପୂର୍ବରୁ ଏହି ଟିମ୍‍ ଗତକାଲି ଖାରବେଳ ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥାନନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଦଳର ସଦସ୍ୟମାନେ ସେମାନଙ୍କର ଅନୁଭୂତି ବଖାଣିଥିଲେ ଓ ସମସ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିତା, ଗାରିମା ଯୋଜନାରେ ସ୍ୱରେଜ ଟାଙ୍କିର ସୁରକ୍ଷା ଓ ସଫେଇ ନେଇ ଅତ୍ୟଧିକ ପ୍ରଭାବିତ ହୋଇଥିଲେ । ଦଳ ଭୁବନେଶ୍ୱରର ବାସୁଆଘାଇରେ ଓଡିଶା ଅର୍ବାନ ଏକାଡେମୀ ଏବଂ ଏଫ୍‍ଏସଟିପି ପରିଦର୍ଶନ କରିଥିଲେ । ସେଠାରେ ସେମାନେ କିନ୍ନର ଗୋଷ୍ଠୀ ସହିତ ଆଲୋଚନା କରିଥିଲେ ଓ ଗୋଷ୍ଠୀର ନିଜସ୍ୱ କାର୍ଯ୍ୟଶୈଳୀ, ରକ୍ଷଣାବେକ୍ଷଣ ପ୍ରକ୍ରିୟା ସଂକ୍ରାନ୍ତରେ ପଚାରି ବୁଝିଥିଲେ ।

ଗସ୍ତର ଦ୍ୱିତୀୟ ଦିନରେ ଦଳ କଟକ ମହାନଗର ନିଗମ ପରିଦର୍ଶନ କରି ସମଗ୍ର ଡିସଲୋଡିଂ ପ୍ରକ୍ରିୟା ଅଧ୍ୟୟନ କରିଥିଲେ । ଗରିମା ଯୋଜନା କାର୍ଯ୍ୟକାରୀ ହେବା ପରେ ବେଆଇନ ସଫେଇ ତଥା ନିଷ୍କାସନ ରୋକିବା ପାଇଁ ପଦକ୍ଷେପ ନିଆଯିବା ଉପରେ ସିଏମ୍‍ସିର ଡେପୁଟି କମିଶନର ସୂଚନା ଦେଇଥିଲେ । ଅପରାହ୍ନରେ, ସେମାନେ ଗାରିମା ଗୃହ, ସଫେଇ କର୍ମୀଙ୍କ ବିଶ୍ରାମ ଗୃହକୁ ପରିଦର୍ଶନ କରିଥିଲେ, ସ୍ବରେଜ୍ ଏବଂ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାରେ ବ୍ୟବହୃତ ପିପିଇ, ସୁରକ୍ଷା ଉପକରଣ, ସଫେଇ ଉପକରଣର ପ୍ରଦର୍ଶନ କରାଯାଇଥିଲା । ଏହି ଦଳ ଗାରିମା ଯୋଜନା କାର୍ଯ୍ୟକାରୀ ହେବା ପରେ ସେମାନଙ୍କର ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନରେ ଘଟିଥିବା ପରିବର୍ତ୍ତନଗୁଡିକ ବିଷୟରେ ବୁଝିବା ପାଇଁ ସଫେଇ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।