ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ, ୨୦୨୪ ସୁଦ୍ଧା କାର୍ଯ୍ୟକାରୀ ହେବ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ

1 min read
15 Main Water Irrigation Project To Be Functional In End Of 2024

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ  ବିଭାଗର ଟ୍ରାନ୍ସଫର୍ମେସନାଲ ଇନିସିଏଟିଭ୍ ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ୱବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି । ଏହାଦ୍ୱାରା ଓଡ଼ିଶାର ଜଳସମ୍ପଦ କ୍ଷେତ୍ରରେ ଏକ ରୂପାନ୍ତର ଆସି ପାରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସେଚନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରୀତା କ୍ଷେତ୍ରରେ 5T କାର୍ଯ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଜଳ ସମ୍ପଦ ବିଭାଗର ପ୍ରଶଂସା କରିଥିଲେ । ବିଭାଗୀୟ ଇଞ୍ଜିନିୟର ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟ ସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବଲାଙ୍ଗିର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳ ମାନେ ସେଠାରେ ଚାଲିଥିବା ଜଳସେଚନ ପ୍ରକଳ୍ପ ଗୁଡ଼ିକରେ ବିସ୍ଥାପନ ପ୍ରକ୍ରିୟାକୁ କିପରି ତ୍ୱରାନ୍ୱିତ କରାଯାଇଛି । ସେ ସମ୍ପର୍କରେ ସୂଚନା ଦେଇଥିଲେ । ଆଲୋଚନା ପର୍ଯ୍ୟାଲୋଚନା, ସମ୍ବେଦନଶୀଳ ବ୍ୟବସ୍ଥା ଓ ଲୋକଙ୍କ ଭିତରେ ଭରସା ସୃଷ୍ଟି ଜରିଆରେ ବିସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

15 Main Water Irrigation Project To Be Functional  In End Of 2024

ଏହି ଉପସ୍ଥାପନରେ ଦେଓ ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ, ସୁବର୍ଣ୍ଣରେଖା, କାନପୁର, ଛେଳିଗଡ଼, ରେଙ୍ଗାଲି ଦକ୍ଷିଣ କେନାଲ, ରେଙ୍ଗାଲି ବାମ କେନାଲ ଏବଂ ଆହୁରି ଅନେକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରୟୋଗ ଯଥା- ଭୂତଳ ପାଇପ୍ ଲାଇନ୍ ବ୍ୟବସ୍ଥାର ପ୍ରୟୋଗ, ଜିଓ ସିନ୍ଥେଟିକ୍ ମାଟ୍ରିସ୍ ଲାଇନିଙ୍ଗ, ସ୍କାଡା, ସ୍ୱୟଂକ୍ରିୟ ଜଳ ପରିଚାଳନା ଆଦି ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ସୂଚନା ଦିଆ ଯାଇଥିଲା । ଇଞ୍ଜିନିୟରିଂ ଜ୍ଞାନ କୌଶଳ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ତୁରନ୍ତ ନିଷ୍ପତ୍ତି ଓ ଟିମ୍‌ ୱାର୍କ, ଦାୟିତ୍ୱବାନ ପୁନର୍ବାସ, ସମ୍ବେଦନଶୀଳ ଯୋଗାଯୋଗ ସମ୍ପର୍କରେ ଉପସ୍ଥାପନା ରଖାଯାଇଥିଲା ।

ପ୍ରାରମ୍ଭିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ୍ କହିଥିଲେ, ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ ସବୁବେଳେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ସ୍ୱଚ୍ଛତାର ସହ ବିଭିନ୍ନ ଅଭିନବ ଉପାୟରେ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେଲେ । ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କର ସହଯୋଗ ଓ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଗୁଡ଼ିକ ଯେଭଳି ଭାବରେ ଅଗ୍ରଗତି କରୁଛି । ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ଏହା ଏକ ଶସ୍ୟଶ୍ୟାମଳା ଜିଲ୍ଲା ଭାବରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ସେ କହିଥିଲେ ।

ଯାଜପୁର ଜିଲ୍ଲାରେ 5T ସ୍କୁଲ୍ ରୂପାନ୍ତରଣ ସହଯୋଗ ନେଇ ସ୍କୁଲ୍ ଗୁଡ଼ିକରେ ମିଶନ ଶକ୍ତିର ମହିଳା ମାନଙ୍କୁ ଅଭିନବ ଉପାୟରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରା ଯାଇଥିଲା । ଏହାଦ୍ୱାରା ମିଶନ ଶକ୍ତିର ମହିଳା ମାନେ ଡିଜିଟାଲ୍ ଶିକ୍ଷା ପାଇ ପାରୁଛନ୍ତି । ବୈଠକରେ ଏହି ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରାଯାଇଥିଲା । ବୈଠକରେ ଅର୍ଥମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।