ଦେଶରେ ୮ ହଜାର ୮୪୮ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ, ଓଡ଼ିଶାରୁ ୧୫
1 min readନୂଆଦିଲ୍ଲୀ: କରୋନା ସଂକଟ କାଳରେ ଦେଶରେ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ଦ୍ରୁତଗତିରେ ବ୍ୟାପୁଛି । ଦେଶରେ ବିଭିନ୍ନ ସ୍ଥାନରେ ଏବେ ଯାଏ ୮ ହଜାର ୮୪୮ଟି ବ୍ଲାକ୍ ଫଙ୍ଗସ୍ ମାମଲା ଚିହ୍ନଟ ହୋଇଛି । ଯେତେବେଳେ କି ବ୍ଲାକ ପଙ୍ଗସରେ ୨୦୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି । ବ୍ଲାକ ଫଙ୍ଗସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଆଣ୍ଟି ଫଙ୍ଗଲ ଇଞ୍ଜେକ୍ସନ୍ ଏମ୍ଫୋଟେରିସିନ-ବିର ଚାହିଦା ବୃଦ୍ଧି ପାଇଛି ।
ଶନିବାର କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ୨୩ ହଜାର ୬୮୦ ଅତିରିକ୍ତ ଭାଏଲ୍ ପ୍ରଦାନ କରିଛନ୍ତି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଏନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇ କହିଥିଲେ, ଚାହିଦା ପୂରା କରିବାକୁ ଅନ୍ତର୍ଜାତୀୟ ସ୍ତରରୁ ଔଷଧ କିଣାଯାଉ ।
କେନ୍ଦ୍ର ସରକାରଙ୍କ ତଥ୍ୟ ପ୍ରକାରେ, ଗୁଜରାଟରେ ସର୍ବାଧିକ ୨୨୮୧ ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୦୦୦, ଆନ୍ଧ୍ର ପ୍ରଦେଶରେ ୯୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ବ୍ଲାକ ପଙ୍ଗସରେ ୯୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗୁଜରାଟରେ ୬୧, ମଧ୍ୟପ୍ରଦେଶରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ୧୫ ଜଣ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟକୁ ୫୦ ଭାଏଲ୍ ଏମ୍ଫୋଟେରିସିନ-ବି ଇଞ୍ଜେକ୍ସନ୍ ଦେଇଛନ୍ତି କେନ୍ଦ୍ର ସରକାର ।