ମାତିଲେ ପଥରଫିଙ୍ଗାଳୀ, ରାଞ୍ଚିରେ ଗଡିଲା ୨ ମୁଣ୍ଡ
ରାଞ୍ଚି/କୋଲକାତା: ମହମ୍ମଦ ପ୍ରଫେଟଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବୟାନ ପରେ ଅଶାନ୍ତ ଦେଶର ଅଧିକାଂଶ ରାଜ୍ୟ । ଶୁକ୍ରବାର ଜୁମା ନମାଜ ପରେ ରାଞ୍ଚି ସମେତ ଅଧିକାଂଶ ଅଞ୍ଚଳ ଅଶାନ୍ତ ହୋଇଛି । ରାଞ୍ଚିରେ ୨ ଜଣ ପ୍ରାଣ ହରାଇ ଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ରିମ୍ସରେ ଭର୍ତ୍ତି କରାଯାଇଛି ।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧୩ଟି ଥାନା ଅଧୀନ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ଆଗାମୀ ଆଦେଶ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ହେଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ରାଞ୍ଚିର ଲାଲପୁର, ଲୋଅର ବାଲାଜୀ, ଡେଲି ମାର୍କେଟ, ହିନ୍ଦପିଢି, ଜଗନ୍ନାଥପୁର, କୋତବାଲି,ସୁଖଦେବ ନଗର,ପଣ୍ଡରା ଓପି,ଚୁଟିଆ, ଡୋରଣ୍ଡା ଓ ଅରଗୋଡା ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି ।
ସେପଟେ ପଶ୍ଚିମବଙ୍ଗର ହାୱଡା ଜିଲ୍ଲା ପଞ୍ଚଲା ବଜାରରେ ଏକ ଗୋଷ୍ଠୀ ପଥର ଫିଙ୍ଗି ହିଂସା ସୃଷ୍ଟି କରିଥିଲେ । ପୋଲିସ ଉପରକୁ ବି ପଥରମାଡ କରିଥିଲେ ପଥର ଫିଙ୍ଗାଳୀ । କେତେକ ଦୋକାନରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଛନ୍ତି । ପ୍ରଦର୍ଶନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା । ହାୱଡା ଅଲୁବୋରିଆ ସବଡିଭିଜନ ରାଜପଥ, ରେଳପଥ ଓ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ସଡକ ଓ ରେଳପଥ ଅବରୋଧ ନ କରିବାକୁ ବିକ୍ଷୋଭକାରୀଙ୍କୁ ନିବେଦନ କରିଛନ୍ତି । ସେପଟେ ଭାଜପା ସାଂସଦ ସୌମିତ୍ର ଖାନ ହାୱଡାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ପାଇଁ କେନ୍ଦର ସରକାରଙ୍କୁ ଜଣାଇଛନ୍ତି ।