ଦିଲ୍ଲୀର କିଛି ସ୍ଥାନରେ ୧୪୪ ଧାରା ଜାରି, ୧୯ ମେଟ୍ରୋ ଷ୍ଟେସନ ବନ୍ଦ, ୧୯ ବିମାନ ଉଡ଼ାଣ ବାତିଲ୍

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଛି । ଉତ୍ତର ପୂର୍ବ ପରେ ଏବେ ଉତ୍ତର ଭାରତରେ ପ୍ରବଳ ହିଂସା ଦେଖିବାକୁ ମିଳିଛି । ଲକ୍ଷ୍ନୌ ଓ ଦିଲ୍ଲୀରେ ବିକ୍ଷୋଭକାରୀମାନେ ହିଂସ୍ର ହୋଇଛନ୍ତି । ୪୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଯାଇଥିବା ବେଳେ, ଜନ୍ତର ମନ୍ତରରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀରେ ମୋବାଇଲ୍ ସେବାକୁ କିଛି ସ୍ଥାନରେ ବନ୍ଦ କରାଯିବା ସହ ମେଟ୍ରୋ ଓ ଫ୍ଲାଇଟ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଗୁଜବରେ ବିଶ୍ୱାସ ନକରିବାକୁ ପୋଲିସ କମିଶନର ସୂଚନା ଦେଇଛନ୍ତି ।


. ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ବିକ୍ଷୋଭ ଜାରି । 

. ଲକ୍ଷ୍ନୌରେ ବ୍ୟାପକ ହିଂସା ।  ସମ୍ଭଲରରେ ପୋଲିସ ଗାଡ଼ି ସମେତ ୪୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ । 

. ଦିଲ୍ଲୀରେ ୧୯ଟି ମେଟ୍ରୋ ଷ୍ଟେସନ ବନ୍ଦ ସହ ୧୯ଟି ଫ୍ଲାଇଟର ଉଡ଼ାଣ ବାତିଲ୍ କଲା ଇଣ୍ଡିଗୋ । 

୧. ରାଜଧାନୀ ଦିଲ୍ଲୀରେ ୧୯ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଛି । ସେଥି ମଧ୍ୟରୁ ସବୁଠାରୁ ବ୍ୟସ୍ତ ବହୁଳ ସ୍ଥାନ ରାଜୀବ ଚୌକକୁ ମଧ୍ୟ ୩ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ଏହା ଦ୍ୱାରା ନିତିଦିନ ଯିବା ଆସିବା କରୁଥିବା ହଜାର ହଜାର ଯାତ୍ରୀ ଫସି ରହିଥିଲେ । ବିଶେଷ କରି ପୂର୍ବ ଦିଲ୍ଲୀର ବହୁ ମେଟ୍ରୋର ଏଣ୍ଟ୍ରି ଓ ଏକଜିଟ୍ ବନ୍ଦ କରାଯାଇଥିଲା ।

୨. ଦିଲ୍ଲୀରେ ଲାଲକିଲ୍ଲା, ମଣ୍ଡି ହାଉସ ସମେତ ଅନ୍ୟ ଅଞ୍ଚଳରେ ପ୍ରଦର୍ଶନକାରୀଙ୍କ ଦ୍ୱାର ଉଗ୍ର ପ୍ରଦର୍ଶନ କରାଯାଇଥିଲା । ତେଣୁ ସୁରକ୍ଷାକୁ ଆଖି ଆଗରେ ରଖି ସେହି ଅଞ୍ଚଳ ଗୁଡ଼ିକରେ ମୋବାଇଲ, ଇଣ୍ଟରନେଟ ସେବା, କଲିଂ, ଏସଏମଏସ୍ ଆଦି ଉପରେ ରୋକ ଲଗାଇ ଦିଆଯାଇଛି । ରିଲାଏନ୍ସ ଜିଓ, ଭୋଡ଼ାଫୋନ୍, ଏୟାରଟେଲ ପ୍ରଭୃତି କଂପାନୀ ସାମୟିକ ଭାବେ କିଛି ସ୍ଥାନରେ ସେବା ବନ୍ଦ କରିଥିଲା ।

୩. ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ସମୟରେ ଯୋଗେନ୍ଦ୍ର ଯାଦବ, ସନ୍ଦୀପ ଦୀକ୍ଷିତ, ଉମର ଖାଲିଦ, ପ୍ରଶାନ୍ତ ଭୂଷଣ ସମେତ ଅନ୍ୟ ନେତାଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିଲେ ।


୪. ଇଣ୍ଡିଗୋର ୧୯ଟି ବିମାନର ଉଡ଼ାଣ ବନ୍ଦ ହୋଇଥିବା ବେଳେ ୧୬ଟି ବିମାନର ଉଡ଼ାଣ ବିଳମ୍ବରେ ହୋଇଛି ।

୫. ବନ୍ଦେ ମାତରମ ଏବଂ ସ୍ୱାଭିମାନର ନାରା ଦେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଉଗ୍ର ରୂପ ନେଇଛି ।

Leave a Reply