ନିର୍ବାଚନ ଆଗରୁ ବନ୍ଧୁକ ଦାଖଲ କରିବେ ୧୪ ଶହ ୧୦ ଲାଇସେନ୍ସଧାରୀ, ଶୀଘ୍ର ଆସିବ ନୋଟିସ୍

1 min read

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ ପାଇଁ ନିର୍ଦ୍ଦେଶ । ୧୪ ଶହ ୧୦ ଲାଇସେନ୍ସଧାରୀଙ୍କୁ ବନ୍ଧୁକ ଦାଖଲ ପାଇଁ ଶୀଘ୍ର ନୋଟିସ ଜାରି କରିବ କମିଶନରେଟ୍ ପୋଲିସ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଡିସିପିଙ୍କ ଫୋକସ । ବନ୍ଧୁକ ଦାଖଲ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ ଡିପୋଜିଟ ନିର୍ଦ୍ଦେଶ । ମଡେଲ କୋଡ ଅଫ କଣ୍ଡକ୍ଟ ଅନୁଯାୟୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଏଭଳି ପଦକ୍ଷେବ ନେଇଛି କମିଶନରେଟ ପୋଲିସ । ନିର୍ବାଚନ ସମୟରେ କେହି ଯେପରି ଲାଇସେନ୍ସପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରନ୍ତି, ସେଥିପାଇଁ ଦିଆଯାଇଛି ନିର୍ଦ୍ଦେଶ । ବନ୍ଧୁକ ନେଇଥିବା ବ୍ୟକ୍ତି ବିଶେଷ, ରାଇଫଲ ଆସୋସିଏସନର ନୋଟିସ ମୁତାବକ ବନ୍ଧୁକ ଫେରାଇବେ । ଲାଇସେନ୍ସ ନେଇ ଦେଶ ବାହାରକୁ ଚାଲିଯାଇଥିବା ଲୋକ ଇମେଲ ମାଧ୍ୟମରେ ପୋଲିସକୁ ଅବଗତ କରାଇବେ । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ।

ଗତ ୬ ବର୍ଷରେ ସୁରକ୍ଷା ଦୃଷ୍ଟିକୋଣରୁ ୮୬ ଜଣ ରାଜଧାନୀରେ ବନ୍ଧୁକ ଲାଇସେନ୍ସ  ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା କିଛି ଲାଇସେନ୍ସଧାରୀ ପୋଲିସ ପାଖରେ ବନ୍ଧୁକ ଡିପୋଜିଟ କରିଛନ୍ତି । ଜୀବନ ପ୍ରତି ବିପଦ ଓ ଜରୁରୀକାଳୀନ ପରିସ୍ଥିତି ଥିଲେ ଡିସିପିଙ୍କ ଅନୁମତି ନେଇ ବନ୍ଧୁକ ରଖିପାରିବେ । ପୂର୍ବବର୍ଷ ମାନଙ୍କରେ ନିର୍ବାଚନ ପୂର୍ବରୁ ଛୋଟ ବଡ଼ ଗଣ୍ଡଗୋଳରେ ବନ୍ଧୁକର ବ୍ୟବହାର ହେଉଥିବାରୁ, ଚଳିତବର୍ଷ ଏଥିପ୍ରତି ଅଧିକ ଶକ୍ତ ହୋଇଛି ପୋଲିସ । ଦାଗୀ, ପେସାଦାର କ୍ରିମିନାଲଙ୍କ ବିରୋଧରେ NSA ଭଳି ଦଫା ଲଗାଇବା ପାଇଁ ପ୍ଲାନ କରିଛି କମିଶନରେଟ ପୋଲିସ ।

କିଛିଦିନ ତଳେ ନିର୍ବାଚନ ପରିଚାଳନା ନେଇ ଭୁବନେଶ୍ୱର ୟୁପିଡ଼ି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ବରିଷ୍ଠ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଡିସିପି ପ୍ରତୀକ ସିଂ ।