୨ ବିଧାୟକଙ୍କ ସମେତ ୧୩୬ କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଏବଂ ବିଧାୟକମାନଙ୍କ ସହଯୋଗୀଙ୍କ କରୋନା ଟେଷ୍ଟ କରାଯାଉଛି । ଦୁଇଦିନ ହେବ ଏହି ବିଧାନସଭା ପରିସରରେ ଏହି ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଶନିବାର ପ୍ରାୟ ୭୫୬ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା । ୨ ବିଧାୟକ ସମେତ ମୋଟ ୧୩୬ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି ।
ଗତକାଲି ୨୦ ବିଧାୟକଙ୍କ ସହ ବିଧାନସଭା ଅଧିବେଶନରେ ଯୋଗଦେବାକୁ ଥିବା ବ୍ୟକ୍ତି ବିଶେଷଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଦ୍ୱିତୀୟ ଦିନର କରୋନା ଟେଷ୍ଟିଂ ଜାରି ରହିଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
ଚଳିତ ଥର କୋଭିଡ କଟକଣା ଦୃଷ୍ଟିରୁ ବିଧାନସଭା ଅଧିବେଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୪୫ ସଦସ୍ୟ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ବିଧାୟକଙ୍କ ବସିବା ସ୍ଥାନରେ କାଚ ଲଗାଯିବା ସହ ପରିସରକୁ ଏକାଧିକ ଥର ସାନିଟାଇଜ କରାଯାଇଛି । ଅଧଇବେଶନ ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ ଏକ ପ୍ରକାର ବାଧ୍ୟତାମୂଳକ କରାଯାଇଥିଲା । ଅଧିବେଶନର ବହୁ ପୂର୍ବରୁ ରାଜ୍ୟରେ ଡର୍ଜନରୁ ଅଧିକ ବିଧାୟକ କରୋନା ସଂକ୍ରମିତ ହୋଇ ସାରିଛନ୍ତି । ଏହା ପରେ ସେମାନଙ୍କର ଆଉ ଥରେ ଟେଷ୍ଟ କରାଯିବ ବୋଲି ଜଣାପଡିଛି ।