ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ
1 min read
ଭୁବନେଶ୍ବର : ସମ୍ବିଧାନ ଦିବସ ଅବସରରେ ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ । ହତ୍ୟା, ଦୁଷ୍କର୍ମ, ଡକାୟତି ଭଳି ସଂଗୀନ ଅଭିଯୋଗରେ ଆଜୀବନ ସଜା କାଟୁଥିବା ଏହି କଏଦୀଙ୍କୁ ଆଜି ଛାଡିଦିଆଯାଇଛି । ଯେଉଁଥିରେ ରାଉଲକେଲାରୁ ୨ ଜଣ, ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪ ଜଣ, ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ରୁ ଜଣେ ଲେଖା କଏଦୀ ଜେଲରୁ ମୁକୁଳିଛନ୍ତି । ଜେଲରେ କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ଜେଲ ବିଭାଗ ଏମାନଙ୍କ ମୁକ୍ତି ଲାଗି ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରିଥିଲା । ଏହି କଏଦୀଙ୍କୁ ମୁକୁଳାଇବା ପାଇଁ ରାଜ୍ୟ ସରକାରଙ୍କଠୁ ଅନୁମୋଦନ ମିଳିବା ପରେ ଏହି କଏଦୀମାନେ ଆଜି ମୁକ୍ତିର ସ୍ବାଦ ଚାଖିଛନ୍ତି । ସେପଟେ BNS-୪୭୯ ଦଫାରେ ୧୦ ଜଣ ବିଚାରାଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ଦିଆଯାଇଛି । ଯେଉଁଥିରେ ଭୁବନେଶ୍ୱରରୁ ୯ ଜଣ ଜଗତସିଂହପୁରରୁ ଜଣେ କଏଦୀ ସାମିଲ ଅଛନ୍ତି । ଏମାନେ ନିଜ ସଜାର ଏକ ତୃତୀୟାଂଶ ଅବଧି ଜେଲରେ କାଟିସାରିଛନ୍ତି । ସେହିପରି ଅନୁଗୁଳ, ରାଉରକେଲା ଓ ପାଟଣାଗଡ଼ରୁ ଜଣେ ଲେଖାଏଁ କଏଦୀଙ୍କୁ ଛାଡିବା ପାଇଁ ସୁପାରିଶ ହୋଇଛି ।