ବାହୁଡ଼ା ଯାତ୍ରାରେ ବାଧକ ସାଜିଲା ଦୁର୍ଘଟଣା, ଅଧା ରାସ୍ତାରେ ଗଲା ୧୪ ପ୍ରବାସୀଙ୍କ ଜୀବନ

1 min read

ୟୁପି: ପାଖରେ ଖାଇବାକୁ ଆଉ ଟଙ୍କା ନାହିଁ… । ଲକ୍‌ଡାଉନରେ ସବୁ ବନ୍ଦ, ବାହାରେ ରହି ଚଳିବୁ ବା କେମିତି… । ଗାଡ଼ି ନଚାଲୁ ପଛେ ଚାଲି ଚାଲି ଘରକୁ ପଳେଇବୁ…। ଆମ ଭିଟାମାଟି ଆମକୁ ହାତଠାରି ଡ଼ାକିଲାଣି… । ଏମିତି ଭାବି ୬ ପ୍ରବାସୀ ବାହାରିଥିଲେ ନିଜ ଘରକୁ । ପକେଟରେ ଟଙ୍କା ନଥିଲା, କେବଳ ବାହୁଡ଼ା ଯାତ୍ରାରେ ସାହାରା ପାଲଟିଥିଲା ବିଶ୍ୱାସ । କିନ୍ତୁ ଅଧା ରାସ୍ତାରେ ଅଟକି ଯାଇଥିଲା ବାହୁଡ଼ା ଯାତ୍ରା। ଟ୍ରକ୍‌ର ଚକା ତଳେ ଥମି ଯାଇଥିଲା ପ୍ରବାସୀଙ୍କ ବ୍ୟସ୍ତ ପାଦ । ଦୁର୍ଘଟଣା ପରେ ମନ ଭିତରେ ମରିଯାଇଥିଲା ଭିଟାମାଟିକୁ ଫେରିବାର ଆଶା  ।   

ଦେଶରେ କରୋନା ପାଇଁ ଜାରି ରହିଛି ଲକଡାଉନ । କାମ ଧନ୍ଦା ସବୁ ଠପ୍‌ । ଆଉ ଏଥିପାଇଁ ନିଜ ଘର ମୁହାଁ ହୋଇଛନ୍ତି ପ୍ରବାସୀ । କେତେ ଦିନ ବା ଆଉ ବାହାରେ ରହି ଖାଇବେ । ରୋଜଗାର କରି ରଖିଥିବା ସବୁ ଠଙ୍କା ଖାଇବାରେ ସରିଗଲଣି । ଭଲ ହେବ ନିଜ ଘରକୁ ପଳାଇବା । ଏଥିପାଇଁ ସବୁ ଅସୁବିଧାକୁ ବେଖାତିର କରି ଘର ମୁହାଁ ଏବେ ସବୁ ପ୍ରବାସୀ । କିନ୍ତୁ ଦେଶରେ ଗାଡ଼ି ଚଳାଚଳ ବନ୍ଦ, ଘରକୁ ଫେରିବେବା କେମିତି । ସେଥିପାଇଁ ଏବେ ସାହାର ପାଲଟିଛି ପାଦ  । ଶହ ଶହ କିଲୋମିଟର ଚାଲି ଚାଲି ଯାଉଛନ୍ତି ପ୍ରବାସୀ ।

ଆଉ ଏହାରି ଭିତରେ ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଘଟିଛି । ୟୁପି ମୁଜାଫରନଗର- ସାହାରନପୁର ହାଇଓ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଚାଲି ଚାଲି ଆସୁଥିବା ଶ୍ରମିକଙ୍କ ଉପରେ ମାଡିଯାଇଛି ବସ୍‌ । ଦୁର୍ଘଟଣାରେ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଲୌଲି ଚେକ୍‌ପୋଷ୍ଟ ଓ ରୋହାନା ଟୋଲ୍‌ ପ୍ଲାଜା ମଧ୍ୟରେ ଦୁର୍ଘଟଣା ହୋଇଛି । ଗତକାଲି ବିଳମ୍ବିତ ରାତିରେ ଶ୍ରମିକମାନେ ପଞ୍ଜାବରୁ ଚାଲି ଚାଲି ବିହାର ଯାଉଥିଲେ । ଶ୍ରମିକମାନେ ସାହାରନପୁର ହୋଇ ମୁଜାଫରନଗର ଆଡକୁ ଯାଉଥିଲେ। ତେବେ ରୋଡ୍‌ ଓ୍ୱେଜ୍‌ ବସ୍‌ ମାଡିଯିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ମଧ୍ୟପ୍ରଦେଶ ଗୁନାରେ ବସ୍‌ ଓ ଟ୍ରକ ଧକ୍କା ହେବାରୁ ୮ ଜଣ ଶ୍ରମିକଙ୍କ ଜୀବନ ଯାଇଛି। ୫୦ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ ଗୁନାର କ୍ୟାଣ୍ଟ ଥାନା ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ ସହ ବସ୍‌ ଧକ୍କା ହୋଇଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଶ୍ରମିକମାନେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଯାଉଥିଲେ।

Leave a Reply