ଡିଜିଟାଲ ଆରେଷ୍ଟ କହି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ପାଖରୁ ୧୪ ଲକ୍ଷ ଠକେଇ

ବ୍ରହ୍ମପୁର: ଡିଜିଟାଲ ଆରେଷ୍ଟ କହି ୧୪ ଲକ୍ଷ ଟଙ୍କାର ଠକେଇ । ସାଇବର ଠକାମୀର ଶିକାର ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ । ଏନେଇ କୁଳପତି ସାଇବର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ତଦନ୍ତ ଆରମ୍ଭ ।

ଗତ ୭ ଦିନ ପୂର୍ବରୁ ଜଣେ ଦୁର୍ବୃତ୍ତ ନିଜକୁ ଇଡ଼ି ଅଫିସର କହି ଫୋନ କରିଥିଲେ । କୁଳପତିଙ୍କ ନାମରେ ଇଡ଼ିରେ ମାମଲା ରହିଥିବା ନେଇ ଜଣାଇବା ସହିତ କାନାରା ବ୍ୟାଙ୍କରେ ରହିଥିବା ଆକାଉଣ୍ଟରେ ବେଆଇନ ଭାବେ କୋଟି କୋଟି ଟଙ୍କା ଜମା ହୋଇଥିବା କହିଥିଲେ । ଆଉ ସେ ଇଡ଼ି ଦ୍ବାରା ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି ଦୁର୍ବୃତ୍ତ ଜଣକ କହିଥିଲେ । ମାମଲାର ରଫାଦଫା ନେଇ ୧୪ ଲକ୍ଷ ଟଙ୍କା ମାଗିବା ପରେ କୁଳପତି ଦୁର୍ବୃତ୍ତଙ୍କ ଆକାଉଣ୍ଟକୁ ୧୪ ଲକ୍ଷ ଟଙ୍କା ପଠାଇଛନ୍ତି । ଏହାପରେ କୁଳପତି ସାଇବର ଅପରାଧର ଶିକାରର ହେବା ନେଇ ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

ସେପଟେ ଜଣେ ଉଚ୍ଚଶିକ୍ଷିତା ଓ ଏତେ ବଡ଼ ବିଶ୍ବବିଦ୍ୟାଳୟର କୁଳପତି ଏଭଳି ସାଇବର ଠକାମିର ଶିକାର ହେବା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ସନ୍ଧେହଜନକ । ସେ ଛାତ୍ରଛାତ୍ରୀଙ୍କୁ ସଚେତନତା ରହିବା ନିମନ୍ତେ ଶିକ୍ଷା ପ୍ରଦାନ କରୁଥିବା ବେଳେ ବର୍ତ୍ତମାନ ନିଜେ ଠକେଇର ଶିକାର ହୋଇଛନ୍ତି । କୁଳପତି ନିଜେ ଚେକରେ ଦୁର୍ବୃତ୍ତଙ୍କ ଆକାଉଣ୍ଟ ନମ୍ବର ଓ ନାଁ ସହିତ ବ୍ୟାଙ୍କରେ ଜମା କରିଛନ୍ତି । ତେଣୁ ଏହା ସାଇବର ଠକେଇ କି ନୁହଁ ତାହା ସନ୍ଦେହ ସୃଷ୍ଟି କରିଛି । କୌଣସି କାରଣକୁ ନେଇ କୁଳପତି ଦୁର୍ବୃତ୍ତଙ୍କୁ ଟଙ୍କା ଦେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଇଛି । ଯଦି କୁଳପତି ଏଭଳି ଅଭିଯୋଗ କରୁଛନ୍ତି ତେବେ ତାହାର ପ୍ରମାଣ ମଧ୍ୟ ଦେଖାଇବାର ଆବଶ୍ୟକତା ରହିଛି । କାରଣ ଦୁର୍ବୃତ୍ତଙ୍କୁ ଧରିବା ପୋଲିସ ପାଇଁ କଷ୍ଟକର ହୋଇଥିବା ବେଳେ କେବଳ କୁଳପତିଙ୍କ ଅଭିଯୋଗକୁ ନେଇ ତଦନ୍ତ ସୁଫଳ ଦେଲା ଭଳି ଲାଗୁ ନଥିବା କହିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ।

ସେପଟେ ଜଣେ କୁଳପତି କେଉଁ ଭୟରେ ଅଜଣା ଲୋକଙ୍କୁ ୧୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ? କେଉଁ ବିଷୟକୁ ନେଇ ଦୁର୍ବୃତ୍ତ ଭୟଭୀତ କରିଥିଲା ? ସମ୍ପୃକ୍ତ ବିଷୟରେ କୁଳପତିଙ୍କ ଭୂମିକା କ’ଣ ? ତାହାର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇନଜୀବୀ ଓ ସାମାଜିକ କର୍ମୀ । ସେପଟେ ଆପଣଙ୍କୁ ଯଦି ଅଜଣା ନମ୍ବରରୁ କଲ୍ ଆସୁଛି ତେବେ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ କି କଥା ହୁଅନ୍ତୁ ନାହିଁ । ଏହାପରେ ୧୯୩୦ ଅଥବା ୧୧୨କୁ କଲ କରି ନିଜର ଅଭିଯୋଗ ଜଣାନ୍ତୁ ବୋଲି ସଚେତନ କରିଛନ୍ତି ବ୍ରହ୍ମପୁର ଏସପି ।