ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ମୃତଦେହ

1 min read

କାଠମାଣ୍ଡୁ: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ମୃତଦେହ । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ । ଗତକାଲି ଦୁର୍ଘଟଣା ଘଟିଥିବା ସ୍ଥଳ ମୁସ୍ତାଙ୍ଗର ସାନୋସଓ୍ବରେ ରେସ୍କ୍ୟୁ ଟିମ୍ ପହଞ୍ଚିବା ପରେ ସେଠାରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ମୃତଦେହଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ । ଖରାପ ପାଗ ଯୋଗୁ ରେସ୍କ୍ୟୁ ଅପରେସନରେ ବାଧା ସୃଷ୍ଟି ହୋଇଛି । ଥାସାଙ୍ଗ-୨ର ସାନୋସଓ୍ବେର ସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚିଥିବା କୁହାଯାଇଛି ।

ସେପଟେ ଏୟାର ଲାଇନ ପକ୍ଷରୁ ଜାରି ଯାତ୍ରୀ ତାଲିକାରେ ଅଶୋକ ତ୍ରିପାଠୀଙ୍କ ସମେତ ୪ ସଦସ୍ୟଙ୍କ ନାମ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଅଶୋକଙ୍କ ସ୍ତ୍ରୀ ବୈଭବୀ ବାନ୍ଦେକର ତ୍ରିପାଠୀ, ପୁତ୍ର ଧନୁଷ ଓ କନ୍ୟା ଋତିକା । ସେମାନେ ଥାନେରେ ବାସ କରୁଥିଲେ ବୋଲି କୁହାଯାଇଛି । ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ ଦୁଇଟି ଘରୋଇ ହେଲିକପ୍ଟର ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ବିମାନ ଦୁର୍ଘଟଣା ପୂର୍ବରୁ ATCର ସୂଚନାକୁ ନେଇ ଆସିଛି ନୂଆ ତଥ୍ୟ । ଦୁର୍ଘଟଣାର କିଛି ସମୟ ପୂର୍ବରୁ ପାଇଲଟ ଏଟିସିକୁ ପାଗ ଓ ଭିଜିବିଲିଟି ନେଇ ତଥ୍ୟ ମାଗିଥିଲେ । ତେବେ ଲ୍ୟାଣ୍ଡିଂ ପାଇଁ ପ୍ଲେନକୁ ଜମସମ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅନୁମତି ଦେଇଥିଲା ବୋଲି ଜଣାପଡ଼ିଛି । ଗତକାଲି ସକାଳ ୯ଟା ୫୫ ମିନଟରେ ଟ୍ବିନ ଅଟ୍ଟର 9N-AET ବିମାନ ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ ।