SIT ଖୋଲୁଛି ପାଠକଙ୍କ କଳାପେଡ଼ି, ଅଭୟଙ୍କ ବାସଭବନର CCTV ଜବତ
1 min readଭୁବନେଶ୍ୱର: କେଉଁଠି କେତେ ସମ୍ପତ୍ତି ରଖିଛନ୍ତି ଗିରଫ IFS ଅଧିକାରୀ ଅଭୟକାନ୍ତ ପାଠକ । କେଉଁଠୁ ଟଙ୍କା ଆସି, କେଉଁ ସ୍ଥାନରେ ବିନିଯୋଗ ହୋଇଛି । ଟଙ୍କାର ସୂତ୍ର କଣ ? ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଛି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) । ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବନ ବିଭାଗର ତିନିଜଣ ଅଧିକାରୀ (ଜଣେ DFO, ଦୁଇ ଜଣ ACFS), ବିମାନ ଟିକେଟ୍/ଚାର୍ଟାର୍ଡ ଫ୍ଲାଇଟ୍/ହୋଟେଲ ଇତ୍ୟାଦି ବୁକିଂ କରୁଥିବା ଟ୍ରାଭେଲ ଏବଂ ଟୁର୍ ଅପରେଟର ସହ ପାଠକଙ୍କ ଡ୍ରାଇଭରଙ୍କୁ ଯାଞ୍ଚ ପରିସରଭୁକ୍ତ କରି ଖୋଳତାଡ଼ କରିଛି ।
ଅଭୟକାନ୍ତ ପାଠକଙ୍କ ବାସଭବନରୁ ସିସିଟିଭି ଫୁଟେଜ ଜବତ କରାଯାଇଥିଛି । ପୂର୍ବରୁ ପାଠକଙ୍କ ଆପାର୍ଟମେଣ୍ଟରେ ଖୋଜାଖୋଜି କରାଯାଇଥିଲା । ଚାକିରି କାଳ ମଧ୍ୟରେ ପାଠକ ରାଜଗଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, ଅନୁଗୁଳ, ବୌଦ୍ଧ, କୋରାପୁଟ, ବ୍ରହ୍ମପୁର ଆଦି ସ୍ଥାନରେ ପୋଷ୍ଟିଂ ହୋଇଥିଲେ । ଏହି ସବୁ ସ୍ଥାନରେ ସହ PCCF ଏବଂ ଜଙ୍ଗଲ ଓ ପରିବେଶ ବିଭାଗ କାର୍ଯ୍ୟାଳୟରେ ଯାଞ୍ଚ କରିଛି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ । ତେବେ, କୋରାପୁଟରେ ଭିଜିଲାନ୍ସ ଟିମ୍ ଆଜି ବ୍ୟାଙ୍କ ଲିଙ୍କ୍ ଫେଲ୍ ଥିବାରୁ ଆକାଉଣ୍ଟ ଖୋଳତାଡ଼ କରିପାରିନାହିଁ । ପାଠକ ୨୦୦୬ରୁ ୨୦୦୮ ଯାଏଁ କୋରାପୁଟ ବନ ସଂରକ୍ଷକ ଦାୟିତ୍ୱରେ ଥିଲେ ।
ଭୁବନେଶ୍ୱର ଏବଂ ପୁନେରେ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟର ତର୍ଜମା କରିଛି ଟିମ୍ । ଆକାଶଙ୍କ ଆକାଉଣ୍ଟରେ ୯.୪୮ କୋଟି ଟଙ୍କା ନଗଦ ଜମା ଏବଂ ଟ୍ରାନ୍ସଫର/କ୍ଲିୟରାନ୍ସ ମାଧ୍ୟମରେ ୫.୨୯ କୋଟି ଟଙ୍କା କାରବାର ହୋଇଛି । ଏହିଭଳି ଭାବେ ଆକାଶଙ୍କ ଆକାଉଣ୍ଟରେ ଜମା ହୋଇଛି ମୋଟ ୧୪.୭୭ କୋଟି ଟଙ୍କା । ଜମି ରେକର୍ଡ ଏବଂ ଶିକ୍ଷାଗତ ଖର୍ଚ୍ଚର ଯାଞ୍ଚ କରାଯାଉଛି । ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀର ଅଧିକାରୀମାନେ ଜବତ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଜବତ ଉପକରଣର ଫୋରେନ୍ସିକ୍ ପରୀକ୍ଷା ଆରମ୍ଭ କରିଛନ୍ତି । ୩ ଜଣ ଅତିରିକ୍ତ ଏସଏସପି, ୪ ଜଣ ଡିଏସଏସପି, ୩ ଜଣ ଇନ୍ସପେକ୍ଟର, ବ୍ୟାଙ୍କ କନସଲଟାଣ୍ଟ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଫୋରେନ୍ସିକ୍ ଅଡିଟର ଏବଂ ଅନ୍ୟମାନଙ୍କୁ ନେଇ ଗଠିତ SIT ଏହି ମାମଲାର ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରୁଛି ।