୪୦ ଓଭରରେ ୫୦୮ରନର ଇନିଂସ ଖେଳି ଚର୍ଚ୍ଚାରେ ୧୩ ବର୍ଷୀୟ ୟଶ୍

ମୁମ୍ବାଇ: କ୍ରିକେଟରେ ଇତିହାସ ରଚିଲେ ସ୍କୁଲ ଛାତ୍ର । ୪୦ ଓଭର ମ୍ୟାଚରେ ୫୦୮ ରନ କରି ଚର୍ଚ୍ଚାରେ ମହାରାଷ୍ଟ୍ରର ୧୩ ବର୍ଷୀୟ ବ୍ୟାଟର ୟଶ୍ ଚଭଡେ ।  ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଟୁର୍ଣ୍ଣାମେଣ୍ଟରେ ୫୦୮ରନର ଅପରାଜିତ ଇଂନିସ ଖେଳି ଏବେ ଚର୍ଚ୍ଚାରେ ୟଶ୍ । ନାଗପୁରରେ ଶୁକ୍ରବାର ଖେଳାଯାଇଥିବା ୪୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ୟଶଙ୍କ ସରସ୍ୱତୀ ବିଦ୍ୟାଳୟ ବିନା ୱିକେଟ୍ ହରାଇ ୭୧୪ ରନ୍ ସଂଗ୍ରହ କରିଥିଲା । ଜବାବରେ ପ୍ରତିଦ୍ୱନ୍ଦୀ ସିଦ୍ଧେଶ୍ୱର ବିଦ୍ୟାଳୟର ଟିମ୍ ୫ ଓଭରରେ ୯ ରନ୍ ସ୍କୋରରେ ଅଲଆଉଟ୍ ହୋଇଯାଇଛି ।

ଯାହାଫଳରେ ସରସ୍ୱତୀ ବିଦ୍ୟାଳୟ ୭୦୫ ରନରେ ଏହି ମ୍ୟାଚଟିକୁ ଜିତିନେଇଛି । ୟଶ୍ ନିଜ ଇନିଂସରେ ୧୭୮ ଟି ବଲକୁ ସାମ୍ନା କରିଥିଲେ ଏବଂ ୮୧ ଚୌକା ଓ ୧୮ ଟି ଛକ୍କା ମାରିଥିଲେ । କୌଣସି ବି ଇଣ୍ଟର ସ୍କୁଲ ଲିମିଟେଡ ଓଭର କ୍ରିକେଟ ମ୍ୟାଚରେ ୫୦୦ରୁ ଅଧିକ ରନର ଇନିଂସ ଖେଳିଥିବା ପ୍ରଥମ ଭାରତୀୟ ଖେଳାଳି ଭାବେ ରେକର୍ଡ କରିଛନ୍ତି ।  ଏହି କାଟାଗୋରୀରେ ସବୁଠୁ ଅଧିକ ଇନିଂସ ଖେଳିବାର ବିଶ୍ୱ ରେକର୍ଡ ଶ୍ରୀଲଙ୍କାର ଚିରଥ ସେଲେପେରୁମାଙ୍କ ନାଁରେ ରହିଛି । ଚିରଥ ୨୦୨୨ରେ ଶ୍ରୀଲଙ୍କାରେ ହୋଇଥିବା ଅଣ୍ଡର ୧୫ ମ୍ୟାଚରେ ୫୫୩ ରନର ଇନିଂସ ଖେଳିଥିଲେ ।

 କ୍ରୀଡା ସମୀକ୍ଷକଙ୍କ କହିବା ଅନୁସାରେ, ୟଶଙ୍କ ଇନିଂସ କୌଣସି ବି ଫର୍ମାଟ ଏବଂ କୌଣସି ବି ଏଜ ଗ୍ରୁପରେ ୫୦୦ ରନରୁ ଅଧିକ ସୂଚୀରେ ୧୦ତମ ଇନିଂସ ଅଟେ । ଏଥିମଧ୍ୟରୁ ୫ଥର ଏହି ଚମତ୍କାର କୌଣସି ଭାରତୀୟ ବ୍ୟାଟର କରିଛନ୍ତି । ୟଶଙ୍କ ପୂର୍ବରୁ ପ୍ରଣବ ଧନୱଡେ ଅପରାଜିତ ୧୦୦୯ ରନ୍, ପ୍ରିୟାଶୁଂ ମୋଲିୟା ୫୫୬ରନ୍, ପୃଥ୍ୱୀ ଶା’ (୫୪୬ ରନ୍) ଏବଂ ଡାଡି ହାବେୱାଲା ୫୧୫ରନର ବଡ ଇନିଂସ ଖେଳିଥିବା ଭାରତୀୟ ବ୍ୟାଟର ଥିଲେ ।  ଏହି ଚାରି ବ୍ୟାଟର ଏକରୁ ଅଧିକ ଦିନର ମ୍ୟାଚରେ ଏତିକି ରନ୍ କରିଥିଲେ । ୟଶ୍ ଲିମିଟେଡ ଓଭର କ୍ରିକେଟରେ ୫୦୦ରୁ ଅଧିକ ରନ୍ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ।

ପ୍ରଥମେ ୟଶଙ୍କର ସ୍କେଟିଂରେ କ୍ୟାରିଅର କରିବାର ଇଚ୍ଛା ଥିଲା । ୧୦ ବର୍ଷ ବୟସ ପର୍ଯ୍ୟନ୍ତ ସେ ଏହି ଖେଳକୁ ଖେଳିଥିଲେ । ରାଜ୍ୟ ଏବଂ ଜାତୀୟ ସ୍ତରରେ ଭଲ ସଫଳତା ମଧ୍ୟ ମିଲିଥିଲା । କିନ୍ତୁ ତାଙ୍କ ବାପାଙ୍କୁ ଲାଗିଥିଲା ଯେ ଭାରତରେ ଏହି ଖେଳର ଭଲ ଭବିଷ୍ୟତ ନାହିଁ । ସେଥିପାଇଁ ସେ ୟଶ୍ ଙ୍କୁ କ୍ରିକେଟ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିଲେ ।   ଆଜି ୟଶଙ୍କ ଚମତ୍କାର ପ୍ରଦର୍ଶନ ପରେ କ୍ରୀଡ଼ା ସମୀକ୍ଷକ କରିଛନ୍ତି ଯେ ଯଦି ତାଙ୍କୁ ଭଲ ଦିଗଦର୍ଶନ ଓ ପ୍ଲାଟଫର୍ମ ମିଳେ ତେବେ ସେ ଭବିଷ୍ୟତରେ ଜଣେ ସଫଳ କ୍ରିକେଟର ଭାବେ ଉଭା ହେବେ …ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଡିଜିଟାଲ