କାମ କଲାନି ଇମୋସନାଲ କାର୍ଡ, ଉଦ୍ଧବଙ୍କ ସମର୍ଥନରେ ମାତ୍ର ୧୩ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ନାଟକ । କାମ କଲାନି ଇମୋସନାଲ କାର୍ଡ, ବ୍ୟାକଫୁଟରେ ଉଦ୍ଧବ ସରକାର । ମୋଟ ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ମାତ୍ର ୧୩ ଜଣ ଉଦ୍ଧବଙ୍କ ସମର୍ଥନରେ ଥିବା ଜଣାପଡ଼ିଛି । ବର୍ଷାରେ ଚାଲିଥିବା ବୈଠକରେ ମାତ୍ର ୧୨ ଜଣ ବିଧାୟକ ଉପସ୍ଥିତ ଥିବାବେଳେ ଆଦିତ୍ୟ ଠାକରେ ମାତୋଶ୍ରୀରେ ଅଛନ୍ତି । କ୍ଷମତା କନ୍ଦଳ ମଧ୍ୟରେ ନିଜ ଦଳର ବିଧାୟକଙ୍କୁ ଆଗାମୀ ସଂଘର୍ଷ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଦୃଢ଼ ନିଷ୍ପତ୍ତି ନେବା ପାଇଁ ଉଦ୍ଧବଙ୍କୁ ପରାମର୍ଶ ଦିଆଯାଇଛି । ଯେ କୌଣସି ପରିସ୍ଥିତିରେ ଏନସିପି ଉଦ୍ଧବଙ୍କୁ ସମର୍ଥନ କରିବ । ଯଦି କ୍ଷମତା ଯାଏ ପରବର୍ତ୍ତୀ ସଂଘର୍ଷ ପାଇଁ ପ୍ରସ୍ତୁତ ରହିବାକୁ ନିଜ ଦଳର ନେତାମାନଙ୍କୁ ପାୱାର ସନ୍ଦେଶ ଦେଇଛନ୍ତି ।

ଗୋଟିଏ ପଟେ ସିନ୍ଦେ ୪୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି, ସେପଟେ ବିଦ୍ରୋହୀ ଗୋଷ୍ଠୀର ଅଧା ବିଧାୟକ ଫେରି ଆସିବା ପାଇଁ ଯୋଗାଯୋଗରେ ଥିବା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି । ସେପଟେ ଗୌହାଟୀରେ ସିନ୍ଦେଙ୍କ ସମର୍ଥକ ରହୁଥିବା ହୋଟେଲ୍‌ ବାହାରେ ପ୍ରଦର୍ଶନ କରିଛି ଟିଏମ୍‌ସି । ତୃଣମୂଳ କଂଗ୍ରେସ ଆସାମ ମୁଖ୍ୟ ରିପୁନ ବୋରାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୌହାଟୀ ହୋଟେଲ ଆଗରେ କଂଗ୍ରେସ ମଧ୍ୟ ବିରୋଧ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ଦୃଷ୍ଟିରୁ ହୋଟେଲ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।