ବିଜେଡି଼ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ବୁଧବାର ଦିନ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣ କରିଛନ୍ତି । ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ବେଳେ ୧୩ ନୂଆ ମୁହଁ ରହିଛନ୍ତି । ବିଧାନସଭା ପାଇଁ ବିଜେଡି ୧୩ ଜଣ ନୂଆ ଚେହେରାଙ୍କ ଉପରେ ଭରସା କରିଛି । ସେହିଭଳି ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଦଳ ଏଥରକ ବିଧାନସଭା ଟିକେଟ୍ ଦେଇଛି ।

ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ

ବିଜେଡ଼ିର ଏଥରକ ୧୩ ଜଣ ନୂଆ ମୁହଁଙ୍କୁ ବିଧାନସଭା ଟିକେଟ୍ ଦେଇଛି । ଦଳ ଯେଉଁ ୧୩ ଜଣଙ୍କ ଉପରେ ଭରସା କରିଛି ସେମାନେ ହେଲେ ରାୟଗଡା ଲାଗି ଅନୁସୟା ମାଝି,ବସ୍ତା ପାଇଁ ସୁଭାସିନୀ ଜେନା । ସେହିଭଳି ଧାମନଗରରୁ ଡ.ସଂଜୟ ଦାସ,ଯାଜପୁରରରୁ ସୁଜାତା ସାହୁ,ଲୋଇସିଙ୍ଗାରୁ ନିହାର ବେହେରା,ଉମରକୋଟରୁ ନବୀନ ନାୟକ,ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ,ଭବାନୀପାଟନାରୁ ଲଟିକା ନାୟକ,ପାଟକୁରାରୁ ଅରବିନ୍ଦ ମହାପାତ୍ର,ପୁରୀରୁ ସୁନିଲ ମହାନ୍ତି,ସୋରୋଡା଼ରୁ ସଂଘମିତ୍ରା ସ୍ୱାଇଁ,ଦିଗପହଣ୍ଡିରୁ ବିପ୍ଲବ ପାତ୍ର ଓ ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ନୂଆମୁହଁ ଭାବେ ଟିକେଟ୍ ପାଇଛନ୍ତି ।

ଗଲାଥର ଲୋକସଭା,ଏଥରକ ବିଧାନସଭା

ବୁଧବାର ଜାରି ବିଜେଡ଼ିର ପ୍ରାର୍ଥୀ ତାଲିକାରେ ଆଉ ଗୋଟିଏ ବିଶେଷକଥା ଦେଖିବାକୁ ମିଳିଛି । ତା’ହେଲା ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଚଳିତ ଥର ଦଳ ବିଧାନସଭା ଟିକେଟ୍ ଦେଇଛି । କଳିକେଶ ନାରାୟଣ ସିଂଦେଓ ଏଥରକ ଦଳ ଟିକେଟରେ ବଲାଙ୍ଗିର ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିଭଳି ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ ବିଧାନସଭା ଆସନ ପାଇଁ ଲଢିବେ । ଅନ୍ୟପକ୍ଷରେ ରମେଶ ମାଝି ମଧ୍ୟ ଝରିଗାଁରୁ ବିଧାନସଭା ପାଇଁ ନିର୍ବାଚନ ଲଢିବେ ।