‘ଇଣ୍ଡିଆ’ ମହାମେଣ୍ଟର ବଡ ନିଷ୍ପତ୍ତି, ୧୩ ସଦସ୍ୟ ବିଶିଷ୍ଟ କମିଟି ଗଠିତ
1 min readମୁମ୍ବାଇ: ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି । ୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠିତ । ଇଣ୍ଡିଆ ମହାମେଣ୍ଟର ସମନ୍ବୟ ସମିତି ସେପ୍ଟେମ୍ବର ୩୦ ସୁଦ୍ଧା ସିଟ୍ ବଣ୍ଟନ ନେଇ ନିର୍ଣ୍ଣୟ ନେବେ । ଏହି ପ୍ୟାନେଲରେ କେସି ବେଣୁଗୋପାଳ, ଶରଦ ପାୱାର, ଏମକେ ଷ୍ଟାଲିନ, ସଞ୍ଜୟ ରାୱତ, ତେଜସ୍ବୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଡ୍ଢା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋକେନ, ଡି ରାଜା, ଓମାର ଅବଦୁହ୍ଲା ଓ ମେହବୁବା ମୁଫତି ସାମିଲ ଅଛନ୍ତି ।
ଏହାସହ ରିସର୍ଚ୍ଚ ଓ ଡାଟା ଆନାଲିସିସ ଟିମ୍ ଗଠନ କରାଯାଇଛି । କୋର୍ଡିନେସନ କମିଟିରେ ଚାରିଟି ଗ୍ରୁପ ରହିବେ । ଏହି କମିଟି ମେଣ୍ଟର କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନେବେ । ଏହାସହ ସୋସିଆଲ ମିଡିଆ ଟିମ୍ ମଧ୍ୟ ଗଠନ କରାଯିବା ଯୋଜନା ରହିଛି ବୋଲି ଜଣାପଡ଼ିଛି । ଆଜି ବୈଠକରେ ୨୮ ଦଳର ୬୨ ନେତା ସାମିଲ ହୋଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗନ୍ଧୀଙ୍କ ସମେତ ଲାଲୁ ପ୍ରସାଦ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, କପିଲ ସିବଲ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି ।
ପାଟନାରେ ବିରୋଧୀଙ୍କ ପ୍ରଥମ ବୈଠକ ବସିଥିବା ବେଳେ ଗୋଟିଏ ମଞ୍ଚରେ ସଭିଁଏ ଏକାଠି ହେବାକୁ ନିଷ୍ପତ୍ତି ନେଇଥିଲେ । ବେଙ୍ଗାଳୁରୁରେ ଦ୍ବିତୀୟ ବୈଠକରେ ମେଣ୍ଟର ନାମକରଣ କରାଯାଇଥିଲା । ଜୁଡେଗା ଭାରତ, ଜିତେଗା ଇଣ୍ଡିଆ ନାରା ଦେଇ ଇଣ୍ଡିଆ ମେଣ୍ଟ ଗଠନ ପରେ ମୁମ୍ବାଇ ବୈଠକରେ ଆଗାମୀ ରଣନୀତିକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଇଣ୍ଡିଆ ମେଣ୍ଟ ବୈଠକ ଯୋଗୁ ମୁମ୍ବାଇ ସହରସାରା ବିରୋଧୀ ନେତାମାନଙ୍କ ପୋଷ୍ଟର ଲଗାଯାଇଛି ।