ବାଲେଶ୍ୱରରେ ବନ୍ଦ ହେବ ଏକାଧିକ ଡିଗ୍ରୀ କଲେଜ..!

ଭୁବନେଶ୍ୱର: ସ୍କୁଲ ପରେ ଏବେ କଲେଜ୍‌ ବନ୍ଦ କରିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି । ଯେଉଁ ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍‌ ଥିଲା ପ୍ରଥମେ ଗଣଶିକ୍ଷା ବିଭାଗ ପକ୍ଷରୁ ସେଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା । ତେବେ ସ୍କୁଲ ପରେ ଏବେ କଲେଜ ପାଳି ପଡ଼ିଛି । ଯେଉଁ ସବୁ କଲେଜରେ ଦୀର୍ଘ ୩ ବର୍ଷ ଧରି ଆଡ୍‌ମିଶନ କମ୍‌ ରହିଛି ସେହି କଲେଜଗୁଡ଼ିକୁ ବନ୍ଦ କରିବାକୁ ଯୋଜନା କରାଯାଇଛି ।

ତେବେ ଏହି କ୍ରମରେ ରାଜ୍ୟରେ ଏବେ ୩ଟି ଡିଗ୍ରୀ କଲେଜ୍‌ ବନ୍ଦ ହେବାକୁ ଯାଉଛି । ଖାଲି ସେତିକି ନୁହେଁ ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଜୋନ୍‌ର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତାର ଛାତ୍ରଛାତ୍ରୀଙ୍କ ଦାଖିଲା କମ ରହି ଆସୁଛି । ଗତ ୩ ବର୍ଷ ଧରି ଏସବୁ କଲେଜରେ ୨୫ ପ୍ରତିଶତରୁ କମ୍‌ ଛାତ୍ରଛାତ୍ରୀ ଆଡିମିଶନ୍‌ କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଏଜୁକେସନ୍‌ ନିୟମ ୧୯୬୯ ଅନୁସାରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମାନଙ୍କୁ ଏନେଇ ଚିଠି ଲେଖି ଅବଗତ ମଧ୍ୟ କରାଯାଇଛି ।

Leave a Reply