ଆଶାକିରଣ ପାଲଟିଛି ଡେଥ୍ ହୋମ୍: ୨୦ ଦିନରେ ୧୩ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଦିଲ୍ଲୀର ଆଶାକିରଣ ହୋମ୍ସ । ସେଲଟର ହୋମରେ ୨୦ ଦିନ ମଧ୍ୟରେ ୧୩ ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ଯୁ । ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଲୋକଙ୍କ ମନରେ ସନ୍ଦେହର ରେଖା ଟାଣି ଦେଇଛି ।

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହିଛି ଏ ଆଶାକିରଣ ହୋମ୍ସ । ବର୍ଷକ ମଧ୍ୟରେ ମୋଟ ୨୭ ଜଣଙ୍କ ମୃତ୍ଯୁ ଘଟିଲାଣି । ଏତେ ସଂଖ୍ୟକ ପିଲାଙ୍କ ମୃତ୍ଯୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାହିଁକି ଏଠାରେ ଜଣଙ୍କ ପରେ ଜଣେ ପିଲାଙ୍କ ଜୀବନ ଯାଉଛି ତାହାର ତନାଘନା ଆରମ୍ଭ ହୋଇଛି ।

କେବଳ ଜୁଲାଇ ମାସରେ ୧୩ ଜଣଙ୍କ ଜୀବନ ଯାଇଛି । ଯାହାର ତଦନ୍ତ ଏସଡିଏମ କରୁଛନ୍ତି। ଅନେକଙ୍କ ସ୍ଵାସ୍ଥାବସ୍ଥା ଖରାପ ହେବା ପରେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ଯୁ ଘଟିଛି ।

ଆଶାକିରଣ ହୋମ୍ସରେ ବର୍ଷକ ମଧ୍ୟରେ ୨୭ ଜଣଙ୍କ ମୃତ୍ଯୁ ଘଟିଛି । ମୃତକଙ୍କ ମଧ୍ୟରେ ଅନେକ ମାନସିକ ବିକାରଗ୍ରସ୍ତ ପିଲା ରହିଛନ୍ତି । ମୃତକଙ୍କ ମଧ୍ୟରୁ ୧୩ ଜଣଙ୍କ ବୟସ ୧୨ରୁ ୨୦ ବର୍ଷ ମଧ୍ୟରେ ରହିଛି । ମୃତ୍ଯୁର କାରଣ ଲୁଚାଇବାକୁ ଉଦ୍ୟମ ହେଉଥିବା ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟରୁ ମୃତ୍ଯୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏହି ସେଲଟର ହୋମ ବିବାଦରେ ରହି ଆସିଛି । ରହସ୍ୟମୟ ସ୍ଥିତିରେ ଅନେକଙ୍କ ମୃତ୍ଯୁ ନେଇ ପ୍ରଶ୍ନ ଉଠିଛି । ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛି । ମୁଖ୍ୟତଃ ଆଶାକିରଣ ହୋମ୍ସରେ ମାନସିକ ସ୍ତରରେ ବିକାରଗ୍ରସ୍ତ ଦିବ୍ୟାଙ୍କ ଶିଶୁଙ୍କ ଦେଖାରଖା କରାଯାଇଥାଏ । କ୍ଷମତାଠାରୁ ଏହି ସେଲଟର ହୋମରେ ଅଧିକ ଅନ୍ତେବାସୀ ରହୁଥିବା ଜଣାପଡିଛି । ପିଲାଙ୍କ ମୃତ୍ଯୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ମନ୍ତ୍ରୀ ଅତିଶୀ । ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ଦିଲ୍ଲୀ ସରକାର ।