ଦେଶରେ ତିନି ମାସରେ ୧୨୮ କୋଟି ଟଙ୍କାର କାର୍ଡ ଦ୍ୱାରା ଠକେଇ

ଭୁବନେଶ୍ୱର: ବଢିଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ୟ । ମାତ୍ର ୩ ମାସରେ ସାଇବର ଲୁଟେରା ଲୁଟି ନେଇଛନ୍ତି ୧୨୮ କୋଟି ଟଙ୍କା । ପ୍ରତି ଏକ ମିନିଟରେ ଦେଶର ୬ ଜଣ ବ୍ୟକ୍ତି ସାଇବର ଲୁଟେରାଙ୍କ ଶିକାର ହେଉଥିବା ଆରବିଆଇ କହିଛି । ତେବେ ପଢ଼ନ୍ତୁ କେମିତି ଚାଲିଛି ଏହି ଅନ୍‌ଲାଇନ୍‌ ରାକେଟ୍‌।

ପ୍ରତି ମାସରେ ଏମିତିଆ ଦୁଇତିନିଟି କଲ୍‌ ଆପଣଙ୍କ ମୋବାଇଲ୍‌କୁ ବି ଆସୁଥିବ। ଅଜଣା ନମ୍ବରରୁ କଲ୍‌ କରି ଏଭଳି କିଛି କହୁଥିବେ ଅପରିଚିତ ବ୍ୟକ୍ତି। କେତେବେଳେ ପୁଅ ତ କେତେବେଳେ ଝିଅର ମିଠା ମିଠା କଣ୍ଠସ୍ୱରରେ ଅଯାଚିତ ଲୋଭ।  ଆଉ ସାଇବର ଠକଙ୍କ ଜାଲରେ ଥରେ ପଡ଼ିଲେ ଆକାଉଣ୍ଟ ସଫା । ଟିକେ ସଜାଗ ହେଲେ, ଲିଙ୍କ୍ ରେ କ୍ଳିକ୍‌ କରିବାକୁ ମେସେଜ ଆସୁଛି। ଅଜଣା ଲିଙ୍କ୍ ରେ  କ୍ଳିକ୍‌ କରିବା ମାତ୍ରେ ଆପଣଙ୍କ ଟଙ୍କାକୁ ନିଜ ଆକାଉଣ୍ଟକୁ ନେଇଯାନ୍ତି ସାଇବର ଲୁଟେରା ।

ଆରବିଆଇର ରିପୋର୍ଟ ଅନୁଯାୟୀ ୩ ମାସରେ ଦେଶର ବିଭିନ୍ନ ରାଜ୍ୟର ବ୍ୟାଙ୍କ୍ ଗ୍ରାହକଙ୍କ ୧୨୮ କୋଟି ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ପ୍ରତି ଏକ ମିନିଟରେ ୬ ଜଣ ବ୍ୟକ୍ତି ସାଇବର ଠକାମୀର ଶିକାର ହେଉଥିବା ଆରବିଆଇ କହିଛି ।

ଆଜିକାଲି ଡିଜିଟାଲ୍‌ ବଜାରର ଯୁଗ। ଗାଁ ଗହଳିରୁ ସହର, ଛୋଟରୁ ଛୋଟ କିଣାବିକା ପାଇଁ ଫୋନ ପେ ଓ ଗୁଗୁଲ ପେ ବ୍ୟବହାର କରୁଛନ୍ତି। ହେଲେ ପ୍ରତିଦିନ ଠକାମୀର ଶିକାର ହେଉଛନ୍ତି ଅନେକ। ତିନି ମାସର ସାଂଘାତିକ୍‌ ତଥ୍ୟ ଆପଣଙ୍କୁ ତାଜୁବ୍‌ କରି ଦେବ। ଡେବିଟ୍‌ କାର୍ଡରେ ୧୧ ହଜାର କେସ୍‌ ଦାୟର ହୋଇଥିବା ବେଳେ ଏଥିରେ ୯୫ କୋଟି ଠକେଇ ହୋଇଛି। କ୍ରେଡିଟ୍‌ କାର୍ଡରୁ ହାତସଫେଇ ହୋଇଛି ୨୦ କୋଟି ଟଙ୍କା। ନେଟ୍‌ ବ୍ୟାଙ୍କିଂରେ ପ୍ରାୟ ୧୪ କୋଟି ଲୁଟ୍‌ ହୋଇଛି।

ଓଡ଼ିଶାରେ ସାଇବର ଠକାମୀର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା କିଛି କମ୍‌ ନୁହଁ । ତେବେ ନିଜ ଆକାଉଣ୍ଟ ତଥା ଏଟିଏମ ବା ଡେବିଟ କାର୍ଡର ଡିଟେଲ୍ସ ସେୟାର ନକରିବାକୁ ସାଇବର ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି।

 

Leave a Reply