ତିଲେଇବଣି ପାଇଁ ୧୨୫ କୋଟି ଟଙ୍କା ଅନୁମୋଦନ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ଯାହା ଦରଖାସ୍ତ ମିଳିଛି ସେ ନେଇ କାଲି ସକାଳେ ଖୁସି ଖବର ପାଇବେ । ମନ୍ଦିର, ମସଜିଦ, ଚର୍ଚ୍ଚ, ଓ କମ୍ଯୁନିଟି ସେଣ୍ଟର ପାଇଁ କାଲି ସକାଳ ସୁଦ୍ଧା ଟଙ୍କା ଅନୁମୋଦନ ହୋଇ କାମ ଆରମ୍ଭ ହେବ । ଦେବଗଡ଼ ତିଲେଇବଣି ସାଧାରଣ ସଭାକୁ ସମ୍ବୋଧନ କରି ଏହା କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତଥର ଜୁଲାଇରେ ଆସି ଅନେକ ଗୁଡିଏ ଦରଖାସ୍ତ ପାଇଥିଲେ । ଏହା ଉପରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାଯକ ବିଚାର କରି ପ୍ରାୟ ସବୁ ଦରଖାସ୍ତକୁ ଅନୁମୋଦନ କରି ତିଲେଇବଣି ପାଇଁ ୧୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି 5T ଅଧ୍ଯକ୍ଷ । ମୁଖ୍ଯମନ୍ତ୍ରୀଙ୍କ ହଠାତ କାମ ଆସିବାରୁ ସେ ତିଲେଇବଣି ଯାଇପାରିନାହାଁନ୍ତି । କିନ୍ତୁ ବିକାଶର ହିସାବ ଦେଇ କହିଥିଲେ, ଝାଡେଶ୍ବର ମନ୍ଦିରର ଉନ୍ନତି ପାଇଁ ୩କୋଟି ୧୦ ଲକ୍ଷ ଟଙ୍କା ଦିଆଯାଇଛି । ଦେବଗଡ଼ରେ ସର୍ବାଧିକ ସିସି ରୋଡ ଥିବାବେଳେ ୮୦ଟି CC ରୋଡ ପାଇଁ ୭ କୋଟି ମଂଜୁର କରାଯାଇଛି । ଟିକିରା ଏନଏଚ ଉପରେ ତିଲେଇପୋଷି ଓ ବୁଦାପୋଲ ରାସ୍ତାରେ ସେତୁ ପାଇଁ ୨୦ କୋଟି, ଗୋହିରା ଡ୍ଯାମ କେନାଲକୁ କଂକ୍ରିଟ କରିବା ପାଇଁ ୧୭ କୋଟି ୬୦ ଲକ୍ଷ, ତିଲେବଣିରେ ସିନ୍ଥେଟିକ ହକି ଟର୍ଫ ଓ ଟ୍ରେନିଂ ସେଣ୍ଟର ନିର୍ମାଣ ଲାଗି ୧୧.୯୦ କୋଟି ଟଙ୍କା ମୁଖ୍ଯମନ୍ତ୍ରୀ ଅନୁମୋଦନ କରିଛନ୍ତି । ଶରଧାପାଲି ଗାଁରେ ଏହି ସେଣ୍ଟର ନିର୍ମାଣ କରାଯିବ । ଏହାସହ ମମତା ଯୋଜନା, ମିଶନ ଶକ୍ତି ପାଇଁ ଋଣ ସୀମା ବୃଦ୍ଧି ବିଷୟରେ 5T ଅଧ୍ଯକ୍ଷ ସଚେତନ କରାଇଥିଲେ । ଏକ ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ଲାଗି ସେ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଲୋଡିଥିଲେ ।