ସେ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବ, ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ…

1 min read

ଭୁବନେଶ୍ୱର: ଆଜି ଡକ୍ଟର ହରେକୃଷ୍ଠ ମହତାବଙ୍କ ୧୨୧ତମ ଜୟନ୍ତୀ । ଏହି ଅବସରରେ ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏକ ପାଇକ ଅଖଡ଼ା ଶୋଭାଯାତ୍ରା ଏକାମ୍ର ନିବାସ ପର୍ଯ୍ୟନ୍ତ ଯିବ । ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ତଥା ଆୟୋଜକ ମହାତବ ସ୍ମୃତି କମିଟି କର୍ମକର୍ତ୍ତା ସୁର ରାଉତରାୟ ଉପସ୍ଥିତ ରହିଛନ୍ତି । ଏହି ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜର ଭରଚୁଆଲ ବକ୍ତବ୍ୟ ରଖିଥିଲେ । କରୋନା କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାନଯାଇ ସୀମିତ କରାଯାଇଛି । ସ୍ୱର୍ଗତ ମହତାବ ଓଡିଶା ଗଠନ ଓ ନିର୍ମାଣର ଜଣେ ଅନ୍ୟତମ ପ୍ରମୁଖ ନେତା ଥିଲେ ।

ରାଜନୀତି, ସାହିତ୍ୟ ,ସାମ୍ବାଦିକତା ଓ ସର୍ବୋପରୀ ଆଧୁନିକ ଓଡ଼ିଶାର ନିର୍ମାଣରେ ଆଦି କ୍ଷେତ୍ରରେ ମହତାବ ନିଜର ଅବଦାନ ରଖିଯାଇଛନ୍ତି । ସେ, ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଶାର ରାଜନୀତିକୁ ପ୍ରଭାବିତ କରିଥିଲେ ।

୧୯୧୯ରୁ ୧୯୨୧ ମସିହା ଯାଏ ତିନିବର୍ଷ କାଳ ଓଡ଼ିଶା କଂଗ୍ରେସର ଅଗ୍ରଗଣ୍ୟ ପ୍ରତିଷ୍ଠାତାମାନଙ୍କ ଭିତରେ ସେ ଥିଲେ ଅନ୍ୟତମ । ୧୯୨୩-୨୪ରେ ସେ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ ।

୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ ।

୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ ।

୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ ।

୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ ।

୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡିଥିଲେ ।

୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧା ସଭାକୁ ନିର୍ବାଚିତ ହୋଇଥିଲେ । ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି ।

ତାଙ୍କଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ “ବିଷୁବ ମିଳନ” ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି ।

Leave a Reply