କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ୧୨୦ ବର୍ଷର ବାଲି, ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେଲା କାର୍ଯ୍ୟ

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ୧୨୦ ବର୍ଷର ବାଲି । ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ପ୍ରଥମ ପର୍ଯ୍ୟାୟରେ ବାଲି କାଢ଼ିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରାଯାଇଥିଲା । ସୂର୍ଯ୍ୟମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତ୍ତି ପରେ, ଗତ ବର୍ଷ ସେପ୍ଟେମ୍ବର ମାସରୁ ଏଏସଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶ୍ଚିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ବିମ୍ ଲଗାଯାଇଛି । ଏହିଭଳି ଆଉ ୩ଟି ଲୁହା ବିମ୍ ଲାଗିବ ।

ଲିଫ୍ଟ ପାଇଁ ପ୍ଲାଟ ଫର୍ମ ନିର୍ମାଣ ଚାଲିଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୁଡା ଦେଇ ଗର୍ଭଗୃହରେ ଥିବା ବାଲି ମନ୍ଦିର ପାଦଦେଶକୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ, ଏକ ପାଇପ ଯୋଗେ ଏହି ବାଲିକୁ ଉତ୍ତର କୋଣରେ ରଖାଯିବ । ଏଥିପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ । ଏହି ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି ବିଶେଷ ଧ୍ୟାନ ଦେବାକୁ ଦାବି କରିଛି କୋଣାର୍କ ସୁରକ୍ଷା ସମିତି ।