ବ୍ୟାଙ୍କର ହୃଦୟହୀନତା, ୧୫ଶହ ଟଙ୍କା ପାଇଁ ଖଟିଆରେ ଭିଡ଼ା ହୋଇଗଲେ ୧୨୦ ବର୍ଷର ବୃଦ୍ଧା !

ନୂଆପଡା: କରୋନା ମାଡରେ ଦୁନିଆ ଠପ୍ । ଲୋକଙ୍କ ପାଖରେ କାମ ନାହିଁ । ମୁଠାଏ ଦାନା ପାଇଁ ହନ୍ତସନ୍ତ ହେଉଛନ୍ତି ଖଟିକିଆ,ନିରାଶ୍ରୟ । ଏମିତିରେ ସରକାର ସେମାନଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଉଛନ୍ତି । ମହଙ୍ଗା ବଜାରରେ ସେଇ ଟଙ୍କାର ମୂଲ୍ୟ କିଛି ନାହିଁ । କିନ୍ତୁ ବୁଡିଯାଉଥିବା ଲୋକ ପାଇଁ କୁଟାଖିଅ ଆଶ୍ରା ଭଳି ଅନେକ ଏହି ଟଙ୍କା ଉପରେ ନିର୍ଭରଶୀଳ । କିନ୍ତୁ ବ୍ୟାଙ୍କରୁ ଟଙ୍କା ନେବା ପାଇଁ ସେମାନଙ୍କୁ କରିବାକୁ ପଡୁଛି ସଂଘର୍ଷ । ସେହିଭଳି ଗୋଟିଏ ହୃଦୟ ବିଦାରକ ଖବର ଆସିଛି ନୂଆପଡା ଜିଲ୍ଲାରେ ଖଡ଼ିଆଲ ବରଗାଁରୁ । ଏମିତି ଦୃଷ୍ୟ ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଖିନଭିନ୍ ହୋଇଯିବ । ଆପଣ ନିଜକୁ ନିଜେ ପ୍ରଶ୍ନ କରିବେ ଯେ, ମାନବତା କ’ଣ ସତରେ ବଂଚିଛି ନା ଭୂତାଣୁ ଭୟରେ ମାନବତା ମଧ୍ୟ ଲକଡାଉନ୍ ଭିତରେ ଅଛି?

 ସରକାରଙ୍କ ନିର୍ଦ୍ଦେଶ ଅଛି ବରିଷ୍ଠ ନାଗରିକଙ୍କୁ ଘର ଦୁଆର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେବେ । କିନ୍ତୁ ଲାଗୁଛି ସେସବୁ ଫାଇଲରେ ଅଛି । ନାଲିଫିତା ଟପି ତାହା ବରିଷ୍ଠ ନାଗରିକଙ୍କ ପାଖରେ ପହଂଚିନାହିଁ କିମ୍ବା ତାକୁ ପହଂଚାଇବା ନିଜ କାମ ବୋଲି ଭାବୁନାହାନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ । ଯଦି ସେମିତି ହୋଇନଥାନ୍ତା ତେବେ ଖଡିଆଳ ବରଗାଁର ୧୨୦ ବର୍ଷୀୟ ବୃଦ୍ଧାଙ୍କୁ ଟଙ୍କା ୧୫ଶହ ପାଇଁ ଏମିତି ସଂଘର୍ଷ କରିବାକୁ ପଡିନଥାନ୍ତା । ଜନଧନ ଆକାଉଣ୍ଟରେ ଆସିଥିବା ୧୫ଶହ ଟଙ୍କା ପାଇଁ ତାଙ୍କୁ ଖଟିଆରେ ଶୁଆଇ ବ୍ୟାଙ୍କକୁ ଟାଣିଟାଣି ନେଇନଥାନ୍ତେ ତାଙ୍କ ଝିଅ ।

ଘଟଣା ହେଉଛି ଏମିତି  । ବରଗାଁର ପୁଞ୍ଜିମତି ଶିଖାଙ୍କ ମା ହେଉଛନ୍ତି ଲବେ ବାଗ । ପୁଞ୍ଜିମତିଙ୍କ ବୟସ ୬୦ ହୋଇଥିବା ବେଳେ ତାଙ୍କ ମା’ଙ୍କ ବୟସ ୧୨୦ ବୋଲି ସେ କୁହାନ୍ତି । ପୁଞ୍ଜିମତି ଓ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଛଳ ନୁହେଁ । ପୁଞ୍ଜିମତି ଓ ତାଙ୍କ ସ୍ୱାମୀ ବାର୍ଦ୍ଧକ୍ୟ ଭତ୍ତାରେ ଚଳନ୍ତି । ତାଙ୍କ ମା’ ଲବେ ବାଗଙ୍କ ଜନଧନ ଆକାଉଣ୍ଟକୁ ୧୫ଶହ ଟଙ୍କା ଆସିଥିଲା । ଏହି ଟଙ୍କା ପାଇଁ ସେ  ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କ କର୍ତ୍ତୁପକ୍ଷ କିନ୍ତୁ ତାଙ୍କୁ ମା’ଙ୍କୁ ନେଇ ବ୍ୟାଙ୍କ୍ ଆସିଲେ ଟଙ୍କା ମିଳିବ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ । ୧୨୦ ବର୍ଷର ବୟସ୍କ ଜଣେ ବ୍ୟକ୍ତି କେମିତି ବ୍ୟାଙ୍କ ଆସିବ ବୋଲି ଝିଅ ପୁଞ୍ଜିମତି  ଯେତେ କହିଥିଲେ ମଧ୍ୟ ବ୍ୟାଙ୍କ ମ୍ୟାନେଜର କିଛି ମଧ୍ୟ ଶୁଣିନଥିଲେ । କୌଣସି ଉପାୟ ନପାଇଁ ପୁଞ୍ଜିମତି ଗାଁ ୱାର୍ଡ ମେମ୍ବର ହୁମାୟୁନ ବାଘେଲଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ହୁମାୟୁନ ତାଙ୍କ ସହିତ ବ୍ୟାଙ୍କକୁ ଯାଇ ବୃଦ୍ଧାଙ୍କ ଟଙ୍କା ତାଙ୍କ ଝିଅକୁ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ମ୍ୟାନେଜର ସିଧାସଳଖ ସେପରି ହୋଇ ପାରିବ ନାହିଁ ବୋଲି କହିଥିବା ଅଭିଯୋଗ କରିଛନ୍ତି ପୁଞ୍ଜିମତି । ଅନେକ ଥର ଚେଷ୍ଟା କରିବା ପରେ ସେ ନିଜ ମା’ଙ୍କୁ ବ୍ୟାଙ୍କ ନେବାକୁ ପ୍ରସ୍ତୁତ ହୋଇଥିଲେ । ବ୍ୟାଙ୍କ ଯିବାକୁ ନିଜର କୌଣସି ଯାନବାହାନ ସୁବିଧା ନଥିବାରୁ ଖଟିଆରେ ମା’ଙ୍କୁ ଶୁଆଇ ପୁଞ୍ଜିମତି ବ୍ୟାଙ୍କ ପର୍ଯ୍ୟନ୍ତ ଟାଣି ଟାଣି ନେଇଥିଲେ । ଘରଠାରୁ ୪ଶହ ମିଟର ଦୂରରେ ଥିବା ବ୍ୟାଙ୍କକୁ ପୁଞ୍ଜିମତି ଖଟିଆ ଟାଣିଟାଣି ଯାଇଥିଲେ । ପୁଞ୍ଜିମତିଙ୍କ ବୟସ ୬୦ । ସେ ମଧ୍ୟ ବରିଷ୍ଠ ନାଗରିକ । କିନ୍ତୁ ତାଙ୍କ ଦୟନୀୟ ଅବସ୍ଥା ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ଏହାପରେ ତାଙ୍କୁ ଟଙ୍କା ମିଳିଥିଲା ।

ଏହି ଘଟଣା ପ୍ରଚାରିତ ହେବା ପରେ ବ୍ୟାଙ୍କ ମ୍ୟାନେଜର ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ବୟାନ ଦେଇଛନ୍ତି । କହିଛନ୍ତି ଯେ, ବ୍ୟାଙ୍କ ଭିଡ ଥିଲା ତେଣୁ ତାଙ୍କୁ ସାହାଯ୍ୟ କରି ପାରିନଥିଲୁ । କିନ୍ତୁ ତାଙ୍କର ଏହି କୈଫତ ବ୍ୟାଙ୍କର ଦୋଷକୁ ଘୋଡାଇ ପାରିବ ନାହିଁ । ୧୨୦ ବର୍ଷର ଜଣେ ବୃଦ୍ଧାଙ୍କୁ ୬୦ ବର୍ଷର ଆଉ ଜଣେ ବୃଦ୍ଧା ଖଟିଆରେ ଟାଣିଟାଣି ନେବା ଘଟଣାକୁ ସହଜରେ ସାଧାରଣ ଲୋକ ଗ୍ରହଣ କରୁନାହାନ୍ତି । ଭୂତାଣୁଠାରୁ ବ୍ୟାଙ୍କର ହୃଦୟହୀନତା ବଢିଗଲା ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply