ମିଳୁନି ବିଶୁଦ୍ଧ ଜଳ: ନଳକୂପର ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଜଣ୍ଡିସରେ ଆକ୍ରାନ୍ତ ହେଲେଣି ୧୨୦ ଜଣ ଶିଶୁ

ନୂଆପଡ଼ା: ନଳକୂପର ଫ୍ଲୋରାଇଡ୍ ଯୁକ୍ତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ । ୧୫ ଦିନ ହେଲାଣି ଟ୍ୟାପରେ ଜଳ ଯୋଗାଣ ମଧ୍ୟ ବନ୍ଦ । ଦୂର ଗାଁରୁ ମୁଣ୍ଡରେ ବୋହି ଆଣିବାକୁ ପଡୁଛି ପାଣି । ଜଣ୍ଡିସ ରୋଗ ସାଙ୍ଗକୁ ଉତ୍କଟ ହେଉଛି ଜଳ କଷ୍ଟ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନରସିଂହପୁର ଗାଁରେ ବିଶୁଦ୍ଧ ପାନୀୟ ଜଳ ସଂକଟ ଦେଖାଦେଇଛି । ଗାଁରେ ଥିବା ନଳକୂପର ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ସ୍ଵାସ୍ଥ୍ୟ ପରୀକ୍ଷାରୁ ଗାଁର ୧୨୦ଜଣ ଶିଶୁ ଜଣ୍ଡିସ ଆକ୍ରାନ୍ତ ଥିବା ଜଣାପଡ଼ିଛି । ୧୫ ଦିନ ତଳେ ଖଡ଼ିଆଳ ଡାକ୍ତରଖାନାର ଏକ ଟିମ୍ ଗାଁକୁ ଯାଇ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ହେଲେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଔଷଧ ପ୍ରଦାନ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବାଧ୍ୟହୋଇ ଲୋକେ ଜଣ୍ଡିସ ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ଝଡ଼ାଫୁଙ୍କାର ଆଶ୍ରୟ ନେଉଥିବା କହିଛନ୍ତି ଗ୍ରାମବାସୀ ।
ନରସିଂହପୁର ଗାଁରେ ୩ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଗାଁରେ ଥିବା ସମସ୍ତ ୬ଟି ନଳକୂପରୁ ଫ୍ଲୋରାଇଡ୍ ଯୁକ୍ତ ପାଣି ବାହାରୁଥିବାରୁ ଲାଲ ଛକି ଚିହ୍ନ ଦିଆଯାଇଛି । ପିଇବା ପାଣି ପାଇଁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଲୋକେ ପାଣି ପାଇପାରୁ ନାହାନ୍ତି । ବାଧ୍ୟହୋଇ ଲୋକେ ଚାଷଜମିରେ ଥିବା ଏକ ଖୋଲା କୂଅରୁ ଓ ୧ କିଲୋମିଟର ଦୂର ସରଗାଦି ଗାଁରୁ ଗରାମାଠିଆରେ ପିଇବା ପାଣି ବୋହି ଆଣୁଛନ୍ତି । ପାଣି ସମସ୍ୟା ବାବଦରେ ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏବେ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିଲାଣି । ଅନ୍ୟପଟେ ଗାଁକୁ ଏକ ଡାକ୍ତରୀ ଦଳ ଯାଇ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉପଖଣ୍ଡ ଚିକିତ୍ସା ଅଧିକାରୀ। ନରସିଂହପୁର ଗ୍ରାମବାସୀଙ୍କ ପାଇଁ ଜଣ୍ଡିସ ରୋଗ ସହିତ ଉତ୍କଟ ଜଳ ସମସ୍ୟା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ତୁରନ୍ତୁ ଜଣ୍ଡିସ ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା ସହିତ ଔଷଧ ପ୍ରଦାନ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।