ଘରକୁ ଫେରି ପାରିଲାନି ୧୨ବର୍ଷ ଝିଅ: ଲକଡାଉନ ପାଇଁ ରାସ୍ତାରେ ଗଲା ପ୍ରାଣ

ତେଲେଙ୍ଗାନା: କରୋନା ପାଇଁ ଲକଡାଉନ  । ଆଉ ଲକଡାଉନ ପାଇଁ ନିଜ ଘରଠୁ ଦୂରରେ ଲକ୍ ହୋଇ ରହିଛନ୍ତି ଅନେକ ପ୍ରବାସି ଶ୍ରମିକ । କେଉଁଠି ଏମାନେ ଖାଇବାକୁ ନ ପାଇ ଭୋକ ଉପାସରେ ଜୀବନ ଅତିବାହିତ କରୁଛନ୍ତି ତ କେଉଁଠି ଘରକୁ ପହଞ୍ଚିବାକୁ ଶହ ଶହ କିଲୋମିଟର ରାସ୍ତାରେ ଚାଲିଚାଲି ଯାଉଛନ୍ତି । ଲକଡାଉନ୍ ରେ ଖାଇବାକୁ ନପାଇ ନିଜ ଘରଠୁ ଦୂରରେ ରହୁଥିବା ଏହି ଶ୍ରମିକମାନେ ପହଞ୍ଚି ପାରୁନାହାଁନ୍ତି ଘରେ । ଭୋକ ଉପାସରେ ଚାଲି ଚାଲି ଅଧା ରାସ୍ତାରେ ପ୍ରାଣ ହରୁଛନ୍ତି ଏମାନେ । କେବଳ ଶ୍ରମିକ ନୁହଁନ୍ତି ଏହାର ଶିକାର ସେମାନଙ୍କ ପିଲାମାନେ ମଧ୍ୟ ହେଉଛନ୍ତି । ଏମିତି ଏକ ଘଟଣା ତେଲେଙ୍ଗାନାରେ ଦେଖାଦେଇଛି । ଯେଉଁଠି ଜଣେ ନାବାଳିକା ଚାଲିଚାଲି ନିଜ ଘରକୁ ଫେରୁଥିବା ବେଳେ ପ୍ରାଣ ହରାଇଛି ।

ତେଲେଙ୍ଗାନାରୁ ନିଜ ଘର ଛତିଶଗଡର ବିଜେପୁରକୁ ଫେରୁଥିବା ବେଳେ ନାବାଳିକାଟିର ମୃତ୍ୟୁ ହୋଇଛି । ୧୨ ବର୍ଷର ଏହି ନାବାଳିକା ଜଣଙ୍କ ଘରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଛି । ପ୍ରଖର ଖରାରେ ଚାଲିବା କାରଣରୁ ଝିଅଟି ଶରୀରରେ ଜଳ ଅଭାବ ହୋଇଯାଇଥିଲା ଏବଂ ସେ ଡିହାଇଡ୍ରେସନରେ ମୃତ୍ୟୁ ବରଣ କରିଛି । ସୋମବାର ଦିନ ଏହି ବିଷୟରେ ତେଲେଙ୍ଗାନା ସରକାର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ୧୨ ବର୍ଷର ଝିଅଟି ଜମଲୋ ମକଦମରେ ନିଜ ଗୋଷ୍ଠୀ ଲୋକଙ୍କ ସହ ତେଲେଙ୍ଗାନାର କନ୍ନଇଗୁଡାସ୍ଥିତ ଲଙ୍କା ବିଲରେ କାମ କରୁଥିଲା । ଯେତେବେଳେ ୧୫ ଏପ୍ରିଲରୁ ଲକଡାଉନ୍ ୨.୦ ଆରମ୍ଭ ହେଲା, ସେହି ଗୋଷ୍ଠୀ ୧୫ ଏପ୍ରିଲରେ ଚାଲିଚାଲି ନିଜ ଘରକୁ ଫେରିବା ଆରମ୍ଭ କରିଥିଲେ । ତିନି ଦିନ ଚାଲିବା ପରେ ସମସ୍ତେ ୧୫୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ କିନ୍ତୁ ୧୮ ଏପ୍ରିଲ ସକାଳେ ଘରେ ପହଞ୍ଚିବା ପୂର୍ବରୁ ୫୦ କିଲୋମିଟର ଦୂରରେ ଥିବା ବିଜପୁରର ଭନ୍ଦରପାଲ ଗାଁ ନିକଟରେ ଝିଅଟିର ମୃତ୍ୟୁ ହୋଇଥିଲା।

କଣ ପାଇଁ ଝିଅଟିର ମୃତ୍ୟୁ ହୋଇଥିଲା ?

ଝିଅଟିର ଶରୀରରେ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ହେବା କାରଣରୁ ତାହାର ମୃତ୍ୟୁ ହୋଇଥିଲା । ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ଠିକ ନରହିବାରୁ ବାନ୍ତି ଝାଡ଼ା ହୋଇଥିଲା ଫଳରେ ଶରୀରର ଜଳୀୟ ଅଂଶ କମି ଯାଇଥିଲା। ଝିଅଟିର ମୃତ୍ୟୁ ପରେ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଡାକ୍ତରୀ ଦଳ ଯାଞ୍ଚ କରିଥଲେ  । ଚାରି ଆଡେ କରୋନା ସଙ୍କଟ ଚାଲିଥିବାରୁ ପିଲାଟିର ମୃତ ଶରୀରରୁ ନମୁନା ନିଆଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବିଜାପୁରର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ବି.ଆର. ପୂଜାରୀ ଏଜେନ୍ସିକୁ କହିଛନ୍ତି ଯେ, କରୋନା ଭାଇରସ ପରୀକ୍ଷା ପାଇଁ ଶନିବାର ଝିଅର ମୃତ୍ୟୁର ନମୁନା ପଠାଯାଇଥିଲା, ଯାହାର ରିପୋର୍ଟ ରବିବାର ସନ୍ଧ୍ୟାରେ ନେଗେଟିଭ୍ ଆସିଥିଲା । ପରେ ରାଜ୍ୟ ସରକାର ଝିଅର ବାପାମାଆଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ।

ଝିଅର ମୃତ୍ୟୁ ପାଇଁ କାଠଗଡ଼ାରେ ଲକଡାଉନ୍

ଲକଡାଉନ୍ ସମୟରେ ଅନେକ ପ୍ରବାସୀ ଚାଲିଚାଲି ନିଜ ଘରକୁ ଫେରିଥିଲେ, କିନ୍ତୁ ସେମାନେ ଚାଲିଚାଲି ଘରକୁ ଫେରି ପାରି ନଥିଲେ ରାସ୍ତାରେ ହିଁ ସେମାନେ ପ୍ରାଣ ହରାଇଛନ୍ତି । ପ୍ରଥମ ଥର ଲକଡାଉନ୍ ଲାଗୁ ହେବାପରେ ଏପରି ଏକ ମାମଲା ପ୍ରକାଶ ପାଇଥିଲା । ସେବେ ଦିଲ୍ଲୀରେ କାମ କରୁଥିବା ରଣବୀର ସଖୱାର ପାଦରେ ତାଙ୍କ ଘର ମୁରୈନାକୁ ଫେରୁଥିବା ବେଳେ ଦିଲ୍ଲୀଠାରୁ ୨୦୦ କିଲୋମିଟର ଦୂରରେ ଥିବା ଆଗ୍ରାଠାରେ ହିଁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply