ରାଜ୍ୟରେ କାଲିଠୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ପିଲାଙ୍କ କରୋନା ଟିକାକରଣ

1 min read

ଭୁବନେଶ୍ୱର: କାଲି ଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ । ୧୫ ମାର୍ଚ୍ଚ ୨୦୧୦ ଏବଂ ତା’ ପୂର୍ବରୁ ଜନ୍ମଗ୍ରହଣ କରିଥିବା ପିଲାମାନେ ଜନ୍ମ ପ୍ରମାଣ ପତ୍ର ଦେଖାଇ ଟିକା ନେଇପାରିବେ । ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ ।

ଏବେ କୋଓ୍ୱିନ୍ ପୋର୍ଟାଲରେ ଏ ବର୍ଗଙ୍କ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟିକା ଦିଆଯିବ ଓ ସ୍କୁଲଗୁଡ଼ିକରେ ଟିକାକରଣକୁ ତ୍ୱରାନ୍ୱିତ କରାଯିବ । ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ଏବଂ ଜନ୍ମ ପ୍ରମାଣ ପତ୍ରକୁ ଯାଞ୍ଚ କରିବେ । ସ୍କୁଲ ଟାଇମିଂ ଅନୁସାରେ ଟିକାକରଣ କରିବାକୁ CDMOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି କରାଯିବ ଟିକାକରଣ । ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ସ୍ୱତନ୍ତ୍ର ସେଣ୍ଟର ଖୋଲାଯିବ । ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ଅଛି ।

ସବୁ ଜିଲ୍ଲାକୁ ଟିକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ । ଟିକା ନେବାକୁ ରାଜ୍ୟରେ ୧୨ରୁ ୧୪ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲା ରହିଛନ୍ତି । ଏମାନଙ୍କ ଟିକାକରଣ ଲାଗି ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟାର ନିୟୋଜିତ ହେବେ । ମାର୍ଚ୍ଚ ୧୬ ଅର୍ଥାତ ଆସନ୍ତାକାଲି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଗାମୀ ଦିନରେ ବ୍ଳକ୍‌ସ୍ତରରେ ମଧ୍ୟ ଅନୁଷ୍ଠିତ ହେବ ।

ଏଥିସହିତ ପଢ଼ନ୍ତୁ: ୩୯.୭ଂ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର