ଓଡ଼ିଶା ହାଇକୋର୍ଟରେ ୨୭ ବିଚାରପତି ପଦବୀରୁ ଖାଲି ପଡ଼ିଛି ୧୨ଟି ପଦବୀ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଭାବ । ୨୭ ବିଚାରପତି ପଦବୀରୁ ଖାଲି ପଡ଼ିଛି ୧୨ । ଅଗଷ୍ଟରେ ଆଉ ଦୁଇଜଣ ଅବସର ନେବା ପରେ ସଂଖ୍ୟା ଆହୁରି କମିବ । ବିଚାରପତିଙ୍କ ଅଭାବରୁ ଲକ୍ଷାଧିକ ମାମଲା ବିଚାର ହୋଇ ନପାରି ପଡ଼ିରହିଛି । ଦିନକୁ ଦିନ ମାମଲା ବଢୁଛି । ବିଚାରପତି ନିଯୁକ୍ତିରେ ବିଳମ୍ବ ପାଇଁ ଚୟନ ପ୍ରକ୍ରିୟାରେ ସମସ୍ୟା ସାଙ୍ଗକୁ ଆନ୍ତରିକ ଉଦ୍ୟମ ଅଭାବ କାରଣ ବୋଲି ଆଇନ ବିଶେଷଜ୍ଞ କହିଛନ୍ତି ।

ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ୍‌ ୨୭ ବିଚାରପତି ପଦବୀ ମଧ୍ୟରୁ ଦୀର୍ଘ ଦିନ ହେଲା ୧୨ଟି ପଦବୀ ଖାଲି ପଡ଼ିଛି । ଅଗଷ୍ଟ ମାସରେ ଆଉ ୨ଜଣ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଅବସର ନେବେ । ଖାଲି ବିଚାରପତି ପଦବୀ ସଂଖ୍ୟା ୧୪କୁ କମିବ । ୨୦୧୯ରେ ୧୨ଜଣଙ୍କ ନାଁ ବିଚାରପତି ପଦବୀ ପାଇଁ ହାଇକୋର୍ଟ କଲେଜିୟମ ସୁପାରିସ୍‌ କରିଥିଲେ । ଏଥିରୁ ୩ଜଣଙ୍କୁ ୨୦୨୦ ଜାନୁଆରୀରେ ନିଯୁକ୍ତି ମିଳିଛି । ତେବେ ବିଚାରପତି ପଦବୀ ପୂରଣ ହେବାରେ ବିଳମ୍ବର କାରଣ କହିଛନ୍ତି ଆଇନଜୀବୀ ମାନସ ମହାପାତ୍ର । ହାଇକୋର୍ଟ ଯାହାଙ୍କ ନାଁ ସୁପାରିସ କରୁଛନ୍ତି, ତାହା ସୁପ୍ରିମକୋର୍ଟଙ୍କ ପସନ୍ଦ ହେଉନାହିଁ ଓ ଆନ୍ତରିକ ଉଦ୍ୟମର ଅଭାବ ଏହାର କାରଣ ବୋଲି ଆଇନଜୀବୀ ମାନସ ମହାପାତ୍ର କହିଛନ୍ତି ।

ବିଚାରପତିଙ୍କ ଅଭାବରୁ ହାଇକୋର୍ଟରେ ଲକ୍ଷାଧିକ ମାମଲା ବିଚାର ହୋଇପାରୁନି । ଏବେ କରୋନା ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି ଭର୍ଚୁଆଲରେ ଚାଲିଛି । ହେଲେ କରୋନା ପୂର୍ବରୁ ଲକ୍ଷେ ୨୦ ହଜାରରୁ ଅଧିକ ଜମିଜମା ମାମଲା ଏବଂ ୫୩ହଜାରରୁ ଅଧିକ ଫୌଜଦାରୀ ମାମଲାର ଶୁଣାଣ ହୋଇପାରିନାହିଁ । ୫ ହଜାର ଜାମିନ ଆବେଦନ ମାମଲା ପଡ଼ି ରହିଛି । ଜିଲ୍ଲା ସ୍ତରରେ ମାମଲା ଅନୁସାରେ ବିଚାରପତିଙ୍କ ସଂଖ୍ୟା ଠିକ୍ ଥିବାରୁ ହାଇକୋର୍ଟଙ୍କ ବୋଝ କମୁଛି । ହେଲେ ଉଚ୍ଚ ଅଦାଲତରେ ବିଚାରପତିଙ୍କ ଅଭାବରୁ ଅନେକ ଲୋକ ନ୍ୟାୟ ପାଇବାରେ ବିଳମ୍ବ ହେଉଛି । ଏଥିପାଇଁ କଲେଜିୟମରୁ ନାମ ସୁପାରିଶ ଏବଂ ଚୂଡ଼ାନ୍ତ ଚୟନ ପ୍ରକିୟାକୁ ଆଇନଜୀବୀ ଦାୟୀ କରିଥିବା ବେଳେ ତୁରନ୍ତ ଏହାର ସମାଧାନ ନହେଲେ ଲୋକ ଅଧିକ ହଇରାଣ ହେବେ ବୋଲି ମତ ଦେଇଛନ୍ତି ।

ସାରା ଦେଶରେ ବିଚାରପତିଙ୍କ ଅଭାବ ରହିଛି । ଦେଶର ବିଭିନ୍ନ ହାଇକୋର୍ଟରେ ମୋଟ୍‌ ୧୦୮୦ ବିଚାରପତି ପଦବୀ ମଧ୍ୟରୁ ୮୧୫ଟି ସ୍ଥାୟୀ ଓ ୨୬୫ ଅତିରିକ୍ତ ବିଚାରପତି ପଦବୀ ରହିଛି । ତେବେ ୪୩୦ ବା ୩୯ ପ୍ରତିଶତ ବିଚାରପତି ପଦବୀ ଖାଲି ପଡ଼ିଛି । ପଦବୀ ପୂରଣ ପାଇଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply