ମେଘାଳୟ କଂଗ୍ରେସରେ ବିଦ୍ରୋହ, ଦଳ ଛାଡ଼ି ଟିଏମସିରେ ମିଶିଲେ ୧୨ ବିଧାୟକ

ସିଲଙ୍ଗ: ମେଘାଳୟ କଂଗ୍ରେସରେ ବଡ଼ ଧରଣର ବିଦ୍ରୋହ । ବିଳମ୍ବିତ ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ନେତୃତ୍ବରେ ୧୨ ବିଧାୟକ କଂଗ୍ରେସ ଛାଡ଼ି ଟିଏମସିରେ ଯୋଗଦେଲେ । ଦଳ ବଦଳ ନେଇ ବିଧାୟକମାନେ ଲିଖିତ ଭାବେ ବାଚସ୍ପତି ମେତବା ଲିଙ୍ଗଡୋଙ୍କୁ ଲିଖିତ ଅବଗତ କରାଇଛନ୍ତି । ଆଜି ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ ।

ଦଳବଦଳ ଯୋଗୁ ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ ଟିଏମସି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି ।  ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦିଲ୍ଲୀରେ ଥିବା ବେଳେ ଏହି ମିଶ୍ରଣ ପର୍ବ ଘଟିଛି । ଗତ କିଛିମାସ ଧରି ରାଜ୍ୟରେ କଂଗ୍ରେସର ଅସନ୍ତୋଷ ଜାରି ରହିବା ସହ ଏକ ବଡ ପରିବର୍ତ୍ତନ ହେବା ଆଶଙ୍କା ସୃଷ୍ଟି ହେଉଥିଲା । କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ସହ ମମତାଙ୍କ ଭଲ ସମ୍ପର୍କ ଥିବା ବେଳେ ଦୁଇ ନେତ୍ରୀଙ୍କ ମଧ୍ୟରେ ଏକ ବୈଠକ ହେବ ବୋଲି ଚର୍ଚ୍ଚା ଚାଲିଥିଲେ ବି ଏହା ଘଟିନାହିଁ । ଯେଉଁ ପ୍ରମୁଖ ବିଧାୟକ ଦଳ ଛାଡିଛନ୍ତି, ସେମାନେ ଗାରୋ ପାର୍ବତ୍ୟାଞ୍ଚଳ ଓ ଖାସି ଜୈନତାଲା ପାର୍ବତ୍ୟାଞ୍ଚଳର ପ୍ରତିନିଧି । କିଛି ଦିନ ଧରି କଂଗ୍ରେସ ହାଇକମାଣ୍ଡଙ୍କ ସହ ସାଙ୍ଗମାଙ୍କ ଭଲ ସମ୍ପର୍କ ନଥିଲା ଏବଂ ରାଜ୍ୟରେ ତାଙ୍କୁ ଦଳ ପକ୍ଷରୁ ଗୁରୁତ୍ବ ଦିଆଯାଉ ନଥିଲା । କିଛିଦିନ ତଳେ କୋଲକାତା ଗସ୍ତରେ ଯାଇ ସାଙ୍ଗମା ଟିଏମସି ନେତାଙ୍କ ସହ ଆଲୋଚନା କରିଥିଲେ । ଦଳ ପରିବର୍ତ୍ତନ ପରେ ଟିଏମସିର ବିଧାୟକ ସଂଖ୍ୟା ୧୨ ହୋଇଥିବା ବେଳେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୮ରୁ ଖସି ୬କୁ ପଳାଇ ଆସିଛି।

Leave a Reply