ନବୀନଙ୍କ ପ୍ରୟାସ କୁଷ୍ଠରୋଗୀଙ୍କ ପରିବାର ମୁହଁରେ ଫୁଟାଇଲା ହସ, ୧୨ ପରିବାରଙ୍କୁ ମିଳିଲା ଘର

ଭୁବନେଶ୍ବର: କୁଷ୍ଠ ରୋଗୀଙ୍କୁ ଆଉ ଦୁଃଖ ଓ ଯନ୍ତ୍ରଣାରେ ଜରି ପାଲ ତଳେ ଜୀବନ ବିତାଇକୁ ପଡ଼ିବନି । ପରିବାର ଲୋକଙ୍କୁ ଅନ୍ୟଙ୍କ ଟାହି ଟାପରା ଶୁଣିବାକୁ ବଡ଼ିବନି କି ନିଆଁ, ପାଣି ବାସନ୍ଦ ହେବାକୁ ପଡ଼ିବନି । କୁଷ୍ଠରୋଗୀଙ୍କ ପରିବାର ମୁହଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସରେ ସେମାନଙ୍କ ମୁହଁରେ ହସ ଫୁଟିଛି । ପୂର୍ବ ସରକାରଙ୍କ ସମୟରେ କୁଷ୍ଠ ରୋଗୀଙ୍କ ପାଇଁ ନିର୍ମାଣ ହୋଇଥିବା ୨୨ଟି ଘର ଭିତରୁ ୧୨ଟି ପରିବାରକୁ ଚାବି ହସ୍ତାନ୍ତର କରିଛନ୍ତି ଭୁବନେଶ୍ବର ମେୟର ।

କୁଷ୍ଠ ରୋଗୀ । ନାଁ ଶୁଣିଲେ ନାକ ଟେକୁଥିଲେ ଲୋକେ । ବାର ଦୂଆର ହେବାକୁ ପଡୁଥିଲା ଏହି ରୋଗରେ ଆକ୍ରାନ୍ତ ଲୋକେ । ଜରି ପାଲ ତଳେ ବିତୁଥିଲା ସେମାନଙ୍କ ଜୀବନ । ଘନ ଅନ୍ଧାର ଭିତରେ ନା ଥିଲା ବିଦ୍ୟୁତ, ନା ଥିଲା ପାଣି । ଦିନକୁ ଦି ଓଳି ଭଲ ଖାଇବା ବି ହୋଇ ଯାଉଥିଲା କଷ୍ଟକର । ଛାତଘର ତ ଦୂରର କଥା, ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ଛପରଟିଏ ବି ସେମାନଙ୍କ ପାଇଁ ଥିଲା ସ୍ବପ୍ନ । ହେଲେ ଆଜି ଶଙ୍ଖ ମଲ୍ଲ ମଲ୍ଲ ମାର୍ବଲ ଚଟାଣ ସାଙ୍ଗକୁ ନୂଆ ଘରେ ଜଳୁଛି ବିଦ୍ୟୁତ ବଲ ଓ ଫ୍ୟାନ । ଅସହାୟଙ୍କ ପାଇଁ ଦେବଦୂତ ସାଜି ସମସ୍ତ ବ୍ୟବସ୍ଥା କରିଛନ୍ତି ପୂର୍ବ ସରକାର । ସେଥିପାଇଁ ତ ଅଶ୍ରୁ ଛଳ ଛଳ ଆଖିରେ ନବୀନଙ୍କୁ ମନେ ପକାଇଛନ୍ତି ସମସ୍ତେ । ସମାଜରେ ଏବେ ସମ୍ମାନର ସହ ବଞ୍ଚିବା ପାଇଁ ମନକୁ ଦୃଢିଭୂତ କରିଛନ୍ତି ସମସ୍ତ ହିତାଧିକାରୀ ।

ବିଏମସି ତରଫରୁ ୬୭ ନମ୍ବର ୱାର୍ଡ଼ରେ ଦୀର୍ଘ ଦିନ ଧରି ରହିଆସୁଥିବା ଲେପର୍ସ କଲୋନୀର ଅନ୍ତେବାସୀମାନଙ୍କ ପାଇଁ ଆଜି ଥିଲା ଖୁସିର ଦିନ । ଦୀର୍ଘ ବର୍ଷ ଧରି ୨୦ରୁ ଅଧିକ କୃଷ୍ଠରୋଗୀ ପରିବାର ଏଠାରେ ବସବାସ କରୁଥିଲେ । ଜରି ପାଲ ତଳେ ନିଜ ମୁଣ୍ଡ ଗୁଞ୍ଜିବା ଏମାନଙ୍କ ପାଇଁ ଥିଲା କଷ୍ଟସାଧ୍ୟ । ଦିନେ ଅସହାୟଙ୍କ ଦୁଃଖ ଶୁଣି ନିକଟରେ ପହଞ୍ଚିଥିଲେ ନବୀନ । ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଦାନ ମାଧ୍ୟମରେ ଦୁଇ କୋଟି ଟଙ୍କା ଯୋଗାଇଥିଲେ । ଏହି ଅର୍ଥରେ ଆଜି ନିର୍ମାଣ ହୋଇଛି ଏହି ସବୁ ଘର । ୨୨ଟି ଘର ଭିତରୁ ୧୨ଟି ପରିବାରକୁ ଚାବି ହସ୍ତାନ୍ତର କରିଛନ୍ତି ଭୁବନେଶ୍ବର ମେୟର ।

ଏକ ଲମ୍ବା ସମୟର ଯନ୍ତ୍ରଣା ଭିତରେ ଆଜି ସେମାନେ ଦେଖିଥିବା ସ୍ବପ୍ନକୁ ହାତ ମୁଠାରେ ପାଇଛନ୍ତି । ଆଜି ସେହି ଦରଦି ମଣିଷ ନବୀନଙ୍କୁ ଦେଇଛନ୍ତି ଆର୍ଶୀବାଦ ।