ଟିଟିପିଏସ୍ ବନ୍ଦ ପ୍ରତିବାଦରେ ଅନୁଗୁଳରେ ବିଜେଡିର ବନ୍ଦ ପାଳନ

ଅନୁଗୁଳ: ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ଚାଲୁନି ଗାଡି, ଖୋଲିନି ଦୋକାନ ବଜାର  । ଟିଟିପିଏସ ବନ୍ଦ ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେଡି । ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ସରକାରୀ , ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ବନ୍ଦା କରିବା ପାଇଁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛି ଦଳ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ ଅଟେ । ପ୍ରଦୂଷଣର ଆଳ ଦେଖାଇ କେନ୍ଦ୍ର ସରକାର ଏହାକୁ ବନ୍ଦ କରିଦେଲେ । ଯାହାଫଳରେ ୨ ହଜାର ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ରୋଜଗାର ହରାଇଲେ । ଟିଟିପିଏସ ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ପାଇଁ କୌଣସି ସଠିକ ତଥ୍ୟ ପ୍ରଦାନ କରା ଯାଉ ନାହିଁ କି କାମରେ ଅଗ୍ରଗତି ମଧ୍ୟ କରାଯାଉ ନାହିଁ । ଏଭଳି ତରବରିଆ ଭାବରେ ଟିଟିପିଏସ୍ ବନ୍ଦକୁ ତୀବ୍ର ବିରୋଧ କରିଛି ବିଜେଡି । ଟିଟିପିଏସର ଚାଲିବା  ପାଇଁ ସମସ୍ତ ସୁବିଧା ଥିଲା, ହେଲେ ଏନଟିପିସି କର୍ତ୍ତୃପକ୍ଷ ପ୍ରଦୂଷଣ ମଞ୍ଜୁରୀ ବାହାନା କରି ଏହାକୁ ବନ୍ଦ କରି ଦେଇଛନ୍ତି । ଏଭଳିକି ପ୍ରଦୂଷଣ ମଞ୍ଜୁରୀ ପାଇଁ ଆବେଦନ ମଧ୍ୟ କରି ନାହାନ୍ତି । ବନ୍ଦ ପଛରେ ବଡ଼ ଧରଣର ଚକ୍ରାନ୍ତ ଥିବା ଗନ୍ଧ ବାରିଛି ବିଜେଡି । କେନ୍ଦ୍ର ସରକାର ପ୍ଲାଣ୍ଟକୁ ବନ୍ଦ କରି ଘରୋଇକରଣ କରିବାର ଚକ୍ରାନ୍ତ କରୁଛନ୍ତି । ଏହାର ପ୍ରତିବାଦରେ ଅନୁଗୁଳ ବନ୍ଦ ଡାକରା ଦିଆଯାଇଛି । ତେବେ ଜିଲ୍ଲାର ସମସ୍ତ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି  । ଆଠମଲ୍ଲିକରେ ଟାୟାର ଜାଳି ବନ୍ଦ ପାଳନ କରିଛନ୍ତି ଆନ୍ଦୋଳନକାରୀ  ।

Leave a Reply