ଜଙ୍ଗଲରୁ ଖପୁରୀ, ପଞ୍ଜରା ହାଡ ଜବତ ଘଟଣାକୁ ନେଇ ୧୨ ଘଣ୍ଟିଆ ଟିକାବାଲି ବନ୍ଦ

1 min read

କନ୍ଧମାଳ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୋଟାମଣି ପାହାଡ ତଳ ଜଙ୍ଗଲରୁ ଖପୁରୀ, ପିଞ୍ଜରା ହାଡ ଜବତ ଘଟଣାକୁ ନେଇ ୧୨ ଘଣ୍ଟିଆ କନ୍ଧମାଳ ଜିଲ୍ଲା ଟିକାବାଲି ବନ୍ଦ । ବନ୍ଦ ପାଳନ କରୁଛି ଟିକାବାଲି ବଣିକ ସଂଘ । ବଣିକ ସଂଘ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ମିତୁ ଭୋଇ, ପ୍ରଶାନ୍ତ ପଣ୍ଡା, ବ୍ଲକ ଅଧ୍ୟକ୍ଷ ଦିଲୀପ କହଁର ଓ ସରପଞ୍ଚ କୁନ୍ଦର ମାଲିକଙ୍କ ନେତୃତ୍ଵରେ ବୈଠକ କରି ଟିକାବାଲି ବନ୍ଦ ଡାକରା ଦିଆଯାଇଛି । ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରଖିବାକୁ ନିବେଦନ କରିଛି ସଂଘ ।

ମୃତ ନାବାଳିକାଙ୍କୁ ନ୍ଯାୟ ପ୍ରଦାନ ସହ ଅଭିଯୁକ୍ତଙ୍କୁ ଫାଶୀ ଦାବିରେ ଟିକାବାଲି ବନ୍ଦ ପାଳନ କରାଯାଉଛି । ନାବାଳିକା ହତ୍ଯା ଘଟଣାରେ ସୋରଡ଼ା ପୋଲିସ ଦ୍ବାରା ଶଙ୍କରଖୋଲ ପଞ୍ଚାୟତ ଅନ୍ତର୍ଗତ ଗୁଡରି ଗାଁ ଅଞ୍ଚଳରୁ ଚାରି ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଏକ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ l ଗିରଫ ଯୁବକମାନେ ହେଲେ ଗୁଡରି ଗାଁର ମୁଖ୍ୟ ଅଭିଯୁକ୍ତ ବିଜୟ କୁମାର ନାୟକ ଓ ତାଙ୍କ ସହଯୋଗୀ ଦୀପକ ସାହୁ, ସଞ୍ଜୀବ ସାହୁ ଏବଂ ଚନ୍ଦନ ସେଠୀ l ଚନ୍ଦନ ତିନି ଅଭିଯୁକ୍ତଙ୍କୁ ଶରଣ ଦେଇଥିଲା । ବିଜୟ ଓ ନାବାଳିକା ମଧ୍ୟରେ ପ୍ରେମ ସମ୍ପର୍କ ଥିଲା l