ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ବାୟୁସେନା ତୁହାକୁ ତୁହା ବୋମାମାଡ଼, ଗଲାଣି ୧୧୦୦ରୁ ଅଧିକ ଜୀବନ

ଜେରୁଜେଲମ: ରକ୍ତମୁଖା ଇସ୍ରାଏଲ ଓ ପାଲେଷ୍ଟାଇନ । ଭୟଙ୍କର ଯୁଦ୍ଧରେ ଗଲାଣି ୧୧୦୦ରୁ ଅଧିକ ଲୋକଙ୍କ ଜୀବନ । ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ଇସ୍ରାଏଲ ସେନା ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଚାଲିଛି। ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ବାୟୁସେନା ତୁହାକୁ ତୁହା ବୋମାମାଡ଼ ଜାରି ରଖିଛି । ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ଇସ୍ରାଏଲ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରିଛି । ହମାସ ଆକ୍ରମଣରେ ଇସ୍ରାଏଲରେ ୬୦୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୬୦ରୁ ଅଧିକ ସେନା ଅଧଇକାରୀ ରହିଛନ୍ତି ।

ସେହିପରି ଇସ୍ରାଏଲର ଅପରେସନ ଆଇରନ୍ ସୋର୍ଡସରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ହମାସ ଆତଙ୍କବାଦୀଙ୍କ ସଂଖ୍ୟା ୪ ଶହରୁ ଅଧିକ ବୋଲି ସୂଚନା ମିଳିଛି । ଗାଜା ସୀମାକୁ ଲାଗିରହିଥିବା ଇସ୍ରାଏଲ ସମେତ ଓଫାକିମ୍, ସ୍ଡେରୋଟ୍, ୟାଦ ମୋର୍ଦେଚାଇ, କଫର ଆଜା, ବିରି, ୟାତିଦ ଓ କିସୁଫିମ ଅଞ୍ଚଳରେ ସଂଘର୍ଷ ଚାଲିଥିବା ଜଣାପଡ଼ିଛି । ଉତ୍ତର ଇସ୍ରାଏଲର ସୀମାନ୍ତ ଅଞ୍ଚଳକୁ ଲେବାନନରୁ ମୋର୍ଟାର୍ ମାଡ଼ କରାଯାଇଥିଲା।

ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଇସ୍ରାଏଲ ସେନା ହେଜବୁଲ୍ଲା ପୋଷ୍ଟକୁ ଟାର୍ଗେଟ କରି ରକେଟ୍ ଜରିଆରେ ଏହାର ଜବାବ ଦେଇଥିଲା। ଲେବାନନର ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲର ଉତ୍ତରରେ ଥିବା ବାସିନ୍ଦାମାନଙ୍କୁ ବୋମା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ କୁହାଯାଇଥିଲା। ସେପଟେ ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ରକେଟ୍ ସାଇରନ୍ ବାଜୁଛି । ଉତ୍ତେଜନା ଭିତରେ ଇସ୍ରାଏଲ ସରକାର ଗାଜା ଷ୍ଟ୍ରିପ୍‌କୁ ବିଜୁଳି ଯୋଗାଣ ବନ୍ଦ କରିଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ୮ ବିଲିୟନ ଡଲାର ମୂଲ୍ୟର ଜରୁରିକାଳୀନ ସାମରିକ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଅନ୍ୟପଟେ ହମାସ କହିଛି ଦୀର୍ଘ ଦଶନ୍ଧି ଧରି ପାଲେଷ୍ଟାଇନ ଉପରେ ଇସ୍ରାଏଲର ଅତ୍ୟାଚାର ଏବଂ ଅଲ୍ ଆକ୍ସା ମସଜିଦକୁ ଅପବିତ୍ର କରିବାର ଜବାବରେ ଏହି ଆକ୍ରମଣ କରାଯାଇଛି । ମହିଳା ଓ ଶିଶୁଙ୍କ ସମେତ ଅନେକ ଇସ୍ରାଏଲ ନାଗରିକଙ୍କୁ ହମାସ ପଣବନ୍ଦୀ ରଖିଛି । ଭାରତୀୟ ଦୂତାବାସ ଏବଂ ପାଲେଷ୍ଟାଇନରେ ଥିବା ଭାରତୀୟ ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ଜରୁରିକାଳୀନ ପରିସ୍ଥିତିରେ ସିଧାସଳଖ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।