କୋଟିପତି କଲା ଲେମ୍ବୁପାଣି, ବୟସ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: କୋଟିପତି ହେବା କେତେଜଣଙ୍କ ଭାଗ୍ୟରେ ଥାଏ ? କଠିନ ପରିଶ୍ରମ ପରେ ବି କୋଟିପତି ହେବା ଏକପ୍ରକାର ସ୍ବପ୍ନ ହୋଇ ରହିଯାଏ  । କିନ୍ତୁ ଆମେ ଏଭଳି ଏକ ଝିଅର କାହାଣୀ କହିବୁ ଯିଏକି ୧୧ ବର୍ଷ ବୟସରେ କୋଟିକୋଟି ଟଙ୍କାର ମାଲିକାଣି  । ଏତେକମ ବୟସରେ କୋଟିପତି ହେବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଆମେରିକାର ଟେକ୍ସାସରେ ରୁହନ୍ତି ୧୭ ବର୍ଷୀୟ ମିକାଇଲା ଅଲମେର। ଯେତେବେଳେ ତାଙ୍କୁ ୧୧ ବର୍ଷ ହୋଇଥିଲା ସେ ଲେମ୍ବୁପାଣି ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କ ହାତ ତିଆରି ଲେମ୍ବୁପାଣି ଗ୍ରାହକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ୨୦୧୬ରେ ସୁପର ମାର୍କେଟ କମ୍ପାନୀ ହୋଲ ଫୁଡସ ମାର୍କେଟ ମିକାଇଲାଙ୍କ ଲେମ୍ବୁପାଣି ବ୍ରାଣ୍ଡ ସହ ଚୁକ୍ତି କରିଥିଲେ । ଯାହା ଫଳରେ ମିକାଇଲାଙ୍କୁ ୮୫ କୋଟିରୁ ଅଧିକ ଟଙ୍କା ମିଳିଥିଲା  । ଆଉ ଗୋଟିଏ ଝଟକାରେ ସେ ସାଜିଥିଲେ କୋଟିପତି  ।

ଯେତେବେଳେ ମିକାଇଲା ୪ ବର୍ଷର ଥିଲେ ସେତେବେଳେ ତାଙ୍କୁ ଜେଜେମା’ଙ୍କ ଏକ ପୁରୁଣା ରୋଷେଇ ବହି ମିଳିଥିଲା  । ୧୯୪୦ ମସିହାରେ ସେଥିରେ ଲେଖାଯାଇଥିବା ସ୍ପେଶାଲ ଫ୍ଲାକ୍ସସିଡ (ଅଳସୀ), ମହୁ ମିଶ୍ରିତ ଲେମ୍ବୁପାଣିର ରେସିପି ସେ ପାଇଥିଲେ । ଆଉ ଏହାପରେ ଅତି କମ ବୟସରେ ନିଜ ଘର ବାହାରେ ଲେମ୍ବୁପାଣି ବିକ୍ରି କରିବା ଆରମ୍ଭ କରିଦେଲେ  । ମିକାଇଲାଙ୍କ ପ୍ରସ୍ତୁତ ଲେମ୍ବୁପାଣି ଗ୍ରାହକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେ ନିଜର କମ୍ପାନୀ ନାଁ ରଖିଥିଲେ ମି ଆଣ୍ଡ ଦ ବିଜ ଲେମନେଡ  ।

ମିକାଇଲା ପ୍ରଥମେ ଲେମ୍ବୁପାଣି ପ୍ରସ୍ତୁତ କରି ଛୋଟଛୋଟ ଦୋକାନକୁ ଯୋଗାଉଥିଲେ  । ଧୀରେଧୀରେ ସେ ଲୋକଙ୍କ ନିକଟତର ହେବା ପରେ ୨୦୧୫ରେ ଏକ ଟିଭି ଶୋ ତାଙ୍କୁ ଅତିଥି କରି ଡାକିଥିଲା । ଆଉ ଏହାପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା । ତାଙ୍କୁ ୪୬ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ ନିବେକଶ  । ଏହି ସମୟରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ମିକାଇଲାଙ୍କ ଲେମ୍ବୁପାଣି ପିଇ ଚର୍ଚ୍ଚାରେ ରହିଥିଲେ ।