ମାଗଣା ଅଟା ବଣ୍ଟା ବେଳେ ଦଳାଚକଟାରେ ୧୧ ମୃତ

1 min read

ଇସଲାମାବାଦ: ପାକିସ୍ତାନରେ ଅଟା ପାଇଁ ଏମର୍ଜେନ୍ସି । ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ଭିତରେ ଆକାଶ ଛୁଆଁ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଗରିବ ଲୋକଙ୍କୁ ସରକାର ମାଗଣାରେ ଅଟା ବାଣ୍ଟୁଥିବା ବେଳେ ଦଳାଚକଟାରେ ୧୧ଜଣଙ୍କ ମୃତ୍ୟୁହୋଇଛି । ସାହିବାଲ, ବହାବଲପୁର, ମୁଜାଫରଗଡ଼ରେ ଦୁଇ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଟ୍ରକରେ ଅଟା ପ୍ୟାକେଟ ଭର୍ତ୍ତି କରାଯାଇ ବାଣ୍ଟିବାକୁ ନେଉଥିବା ବେଳେ ଲୁଟ ହେବା ଆଶଙ୍କାରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ପଞ୍ଜାବରେ ଅଟା କିଲୋଗ୍ରାମ ୧୪୫ରୁ ୧୬୦ ଟଙ୍କା ଛୁଇଁଛି । ହେଲେ ଖେବର, ବାଲୁଚିସ୍ତାନ ପ୍ରାନ୍ତରେ ଦର ଆହୁରି ଅଧିକ ରହିଛି । ଦେଶରେ ଅଟା ସଙ୍କଟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦାୟୀ କରୁଥିବା ବେଳେ ଋଷ-ୟୁକ୍ରେନ ଯୁଦ୍ଧ ଓ ୨୦୨୨ରେ ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଆଫଗାନିସ୍ତାନରେ ଗହମ ଚୋରାଚାଲାଣ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ବିଦେଶର ଋଣ ବୋଝରେ ବୁଡିଥିବା ପାକିସ୍ତାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ୧୨୦ ଆରବ ଡଲାରର ଋଷ ବୋଝ ପାକିସ୍ତାନ ଉପରେ ରହିଥିବା ବେଳେ ମାତ୍ର ୩ ଆରବ ଡଲାର ବିଦେଶୀ ମୁଦ୍ରା ରାଜକୋଷରେ ରହିଛି । ସାଧାରଣ ଲୋକ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶ ଛୁଆଁ ଦରରେ କିଣୁଥିବା ବେଳେ ନେତା, ମନ୍ତ୍ରୀମାନେ ଆର୍ଥିକ ସହାୟତା ବିଦେଶ ଗସ୍ତ ଜାରି ରଖିଛନ୍ତି ।