ଆଗ୍ନେୟଗିରି ଉଦଗୀରଣରେ ୧୧ ପର୍ବତରୋହୀଙ୍କ ମୃତ୍ୟୁ, ଏବେବି ୧୨ ନିଖୋଜ
ଜାକର୍ତ୍ତା: ଇଣ୍ଡୋନେସିଆର ମାଉଣ୍ଟ ମରାପୀରେ ଆଗ୍ନେୟଗିରି ଉଦଗୀରଣ । ବିସ୍ଫୋରଣ ପରେ ୧୧ ପର୍ବତରୋହୀଙ୍କ ମୃତ୍ୟୁ ଘଟିଛି । ସୁମାତ୍ରାର ଅଗମ ପ୍ରାନ୍ତରେ ମାଉଣ୍ଟ ମରାପୀରେ ଅଚାନକ ବିସ୍ଫୋରଣ ପରେ ଆକାଶରେ ୩୦୦୦ ମିଟର ପର୍ଯ୍ୟନ୍ତ ଲାଭା ବିଛାଡି ହୋଇ ପଡିଥିଲା । ଏହି ସମୟରେ ପ୍ରାୟ ୭୫ ଜଣ ପର୍ବତାରୋହୀ ୨୯୦୦ ମିଟର ଉଚ୍ଚ ପର୍ବତ ଆରୋହଣ କରୁଥିବାବେଳେ ସେଠାରେ ଫସି ଯାଇଥିଲେ ।
ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚି ଆଠ ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଦ୍ଧାରକାରୀ ଦଳ ସୋମବାର ସକାଳେ ୧୧ ଜଣ ମୃତଦେହ ପାଇଛନ୍ତି । ଏବେବି ନିଖୋଜ ୧୨ ଜଣ ପର୍ବତାରୋହୀଙ୍କ ଖୋଜା ଚାଲିଛି । ଖୋଜାଖୋଜି ବେଳେ ଉଦ୍ଧାରକାରୀ ଟିମ୍ ୩ ଜଣଙ୍କୁ ଜୀବିତ ପାଇଥିଲେ ।
ଆଗ୍ନେୟଗିରି ଉଦଗୀରଣ ପରେ ଧଳା ରଙ୍ଗର ଧୂଆଁ ଚାରିଆଡେ ବ୍ୟାପି ଯାଇଥିଲା । ଏଥିଯୋଗୁଁ ଅନେକ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ । ଆଗ୍ନେୟଗିରିରୁ ଏତେ ମାତ୍ରାରେ ପାଉଁଶ ଓ ଧୂଆଁ ବାହାରିଥିଲା ଯେ ଆଖପାଖ ଗାଁ ବି ଏଥିରୁ ବର୍ତ୍ତି ପାରିନଥିଲା ।