ହିମାଚଳ ପ୍ରଦେଶରେ ମାଟିତଳେ ଫସିଗଲା ବସ୍, ଟ୍ରକ୍ ଓ କାର: ୧୧ ଜଣଙ୍କ ମୃତ୍ୟୁ

1 min read

ହିମାଚଳ ପ୍ରଦେଶର ରେକୋଙ୍ଗ ପିଓ-ସିମଳା ଜାତୀୟ ରାଜପଥ-୫ରେ ଭୂସ୍ଖଳନ । ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ମାଟି ତଳେ ଫସିଥିବା ଆଶଙ୍କା କରାଯାଉଛି । ବିଶାଳ ପଥର ଓ ମାଟି ଅତଡ଼ା ଖସିବା ଯୋଗୁ ପୋତି ହୋଇଯାଇଥିଲା ବସ, ଟ୍ରକ ଓ କାର । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଆଇଟିବିପି, ଏନଡିଆରଏଫ, ସିଆଇଏସଏଫ ଯବାନ । ରେସ୍କ୍ୟୁ ଅପରେସନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ । ହିମାଚଳର ରେକୋଙ୍ଗ ପିଓ-ସିମଳା ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁ ଅନେକ ମୃତାହତ ଆଶଙ୍କା । ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି ଆଇଟିବିପିର ତିନିଟି ବାଟାଲିୟନର ୨୦୦ରୁ ଅଧିକ ଯବାନ । ଏହା ସହ ବି ସାମିଲ ହୋଇଛନ୍ତି ଏନଡିଆରଏଫ, ସିଆଇଏସଏଫ ଯବାନ ଓ ପୋଲିସ ବାହିନୀ ।

Image

ରାଜ୍ୟ ପ୍ରଶାସନର ସ୍ୱତନ୍ତ୍ର ଟିମ୍ ବି ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରୁଛନ୍ତି । ଆଜି ରେକୋଙ୍ଗ ପିଓ ଅଞ୍ଚଳରୁ ଏକ ବସ ସିମଳା ଯାଉଥିବାବେଳେ ନିଗୁଲସାରିଠାରେ ଘଟିଥିଲା ଅଘଟଣ । ଭୂସ୍ଖଳନରେ ବିଶାଳ ମାଟି ଖଣ୍ଡ ଧସିବା ଯୋଗୁ ରାଜପଥରେ ଥିବା ଟ୍ରକ, ବସ ଓ କାର ଆଦି ପୋତି ହୋଇଯାଇଥିଲା । କିଛି ଯାତ୍ରୀ ବି ମାଟି ତଳେ ରହିଯାଇଥିଲେ । ଭୂସ୍ଖଳନର ଭୟଙ୍କର ଚିତ୍ରରେ ଥରହର ହୋଇଯାଇଥିଲେ ସମସ୍ତେ । ବସରେ ୪୦ରୁ ଅଧିକ ଯାତ୍ରୀ ଥିବା କୁହାଯାଇଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି । ସେପଟେ ଜୟରାମଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଦିଆଯିବା ବୋଲି କହିଛନ୍ତି ଗୃହମନ୍ତ୍ରୀ । ଘଟଣାସ୍ଥଳରେ କିନୌର ବିଧାୟକ ଜେ.ଏସ. ନେଗୀ ବି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । କିନୌର ଡେପିୁଟି ପୋଲିସ କମିଶନର ଆବିଦ ହୁସେନ ସିଦ୍ଦିକ କହିଛନ୍ତି- ହିମାଚଳ ସଡକ ପରିବହନ ନିଗମର ଏକ ବସରେ ୪୦ ଯାତ୍ରୀ ଯାଉଥିବାବେଳେ ରେକୋଙ୍ଗ ପିଓଠାରେ ଏହି ଦୁର୍ଘଟଣା ଘଟିଥିଲା ।

Image

ବସର ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଗତ କିଛି ସପ୍ତାହ ଧରି ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଥିବାବେଳେ ବାରମ୍ବାର ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହେଉଛି । କିଛି ଦିନ ତଳେ ସିରମୌର ଜିଲ୍ଲାରେ ୧୦୦ ମିଟର ରାସ୍ତା ବି ଭୂସ୍ଖଳନରେ ଧ୍ବଂସ ହୋଇଯାଇଥିଲା । ଗତମାସରେ ଭୂସ୍ଖଳନ ଘଟି କିନୌର ଜିଲ୍ଲାର ସାଙ୍ଗଲା ଉପତ୍ୟକାରେ ୮ ପର୍ଯ୍ୟଟକ ଓ ଡ୍ରାଇଭର ପ୍ରାଣ ହରାଇଥିଲେ ।

ଏଥିସହିତ ପଢ଼ନ୍ତୁ: ହିମାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ: ମାଟି ଭିତରେ ଫସି ରହିଛନ୍ତି ୮୦ରୁ ଅଧିକ ଯାତ୍ରୀ

Leave a Reply