ପ୍ରମୋଦ ଭଗତଙ୍କ ସହ ୧୧ ଜଣଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ବୁଧବାର ୧୧ ଜଣ କ୍ରୀଡାବିତଙ୍କୁ ଭାରତର ସର୍ବୋଚ୍ଚ କ୍ରୀଡା ସମ୍ମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ସୁପାରିସ କରିଛି । ସେମାନେ ହେଉଛନ୍ତି ୨୦୨୦ ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚେପ୍ରା । କୁସ୍ତିରେ ସିଲଭର ମେଡାଲ ବିଜେତା ରବି ଦାହିଆ, ବକ୍ସିଂରେ ବ୍ରୋଞ୍ଚ ମେଡାଲ ବିଜେତା ଲଭଲିନା ବୋର୍ଗୋହେନ, ଭାରତୀୟ ହକି ଦଳର ଗୋଲକିପର ପି.ଆର. ଶ୍ରୀଜେଶଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି । ସେହିପରି ଭାରତୀୟ ମହିଳା କ୍ରିକେଟ ଦଳର ଦିନିକିଆ ଅଧିନାୟକ ମିତାଲି ରାଜ୍ ଓ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀଙ୍କୁ ମଧ୍ୟ ଏହି ସମ୍ମାନଜନକ ଖେଳରତ୍ନ ପାଇଁ ସୁପାରିସ କରାଯାଇଛି । ସୁନିଲ ଛେତ୍ରୀ ହେଉଛନ୍ତି ପ୍ରଥମ ଭାରତୀୟ ଫୁଟବଲର ଯାହାଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ କରାଯାଇଛି ।

ଏମାନଙ୍କ ବ୍ୟତୀତ ୨୦୨୦ ଟୋକିଓ ପାରା ଅଲମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଅବନୀ ଲେଖରା, ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ ଜିତିଥିବା ଓଡିଆ ଷ୍ଟାର ଖେଳାଳି ପ୍ରମୋଦ ଭଗତ, ପାରା ଅଲମ୍ପିକ୍ସରେ ଜାଭେଲିନରେ ସ୍ବର୍ଣ୍ଣ ପଦକ ବିଜେତା ସୁମିତ୍ ଆଣ୍ଟିଲ, ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଥିବା କୃଷ୍ଣ ନାଗର ଏବଂ ୫୦ ମିଟର ପିସ୍ତଲରେ ଗୋଲ୍ଡ ମେଡାଲ ଜିତିଥିବା ମନୀଷ ନରଓ୍ବାଲଙ୍କ ନାମ ମଧ୍ୟ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ସୁପାରିସ କରିଛି ଜାତୀୟ କ୍ରୀଡା କମିଟି । ଏହି ୧୧ ଜଣ କ୍ରୀଡାବିତଙ୍କ ବ୍ୟତୀତ ୩୫ ଜଣ କ୍ରୀଡାବିତଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି ।

ପୂର୍ବରୁ ଏହି ଖେଳରତ୍ନ ରାଜୀବ ଗାନ୍ଧୀଙ୍କ ନାମରେ ଥିଲା । କିନ୍ତୁ ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଜବରଦସ୍ତ ପ୍ରଦର୍ଶନ ଫଳରେ ଏହି ସମ୍ମାନ ଜନକ ପୁରସ୍କାରର ନାମ ରାଜୀବ ଗାନ୍ଧୀ ଖେଳରତ୍ନ ପରିବର୍ତ୍ତେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମକରଣ କରାଯାଇଥିଲା ।

Leave a Reply