୭୨ ଦିନ ହେଲା ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ, ପୋଲିସ ଦିନ ଗଡାଉଥିବା ଅଭିଯୋଗ

ରାୟଗଡ଼ା: ଜାନୁଆରୀ ୩ ତାରିଖ । ରାୟଗଡ଼ା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରି ସବୁ ଦିନ ପରି ସ୍କୁଲ ଯାଇ ଆଉ ଘରକୁ ଫେରି ନଥିଲେ । ଏହା ମଧ୍ୟରେ ୭୨ ଦିନ ବିତି ଗଲାଣି, ନା ଝିଅର କିଛି ଖବର ମିଳୁଛି, ନା ପୋଲିସ କିଛି କହୁଛି । ପରିବାର ଲୋକେ ଚିନ୍ତାରେ ଥିବା ବେଳେ ପୋଲିସ ବିଭିନ୍ନ ବାହାନା ଦେଖାଇ ଦିନ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜଣେ ଯୁବକ ବଳପୂର୍ବକ ଝିଅକୁ ଅପହରଣ କରି ନେଇଛି । ଏ ସମ୍ପର୍କରେ ପଚାରିଲେ ପୋଲିସ ମୁହଁ ଖୋଲୁ ନଥିବା ଅଭିଯୋଗ ହୋଇଛି ।

ଜାନୁଆରୀ ୩ ତାରିଖରେ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ସ୍କୁଲକୁ ଯାଇ ପଚରାଉରା କରିଥିଲେ । କ୍ଲାସ ସରିବା ପରେ ସ୍କୁଲରେ ପ୍ରାର୍ଥନା ହୋଇଥିଲା, କିନ୍ତୁ ଝିଅଟି ପ୍ରାର୍ଥନାରେ ଅନୁପସ୍ଥିତ ଥିବା କହିଥିଲେ ଶିକ୍ଷକ । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ମିଳି ନଥିଲା । ଏ ନେଇ ପରିବାର ଲୋକ ରାୟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ବିତିଗଲା, ହେଲେ ଝିଅ କେଉଁଠି, କେଉଁ ଅବସ୍ଥାରେ ଅଛି ତାକୁ ନେଇ ପରିବାର ଲୋକ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି । ଝିଅକୁ ସ୍ଥାନୀୟ ଜଣେ ଯୁବକ ଅପହରଣ କରି ନେଇଥିବା ପରିବାର ଲୋକ ଥାନାରେ ଅଭିଯୋଗ ଥାନା କରିଛନ୍ତି, ହେଲେ ପୋଲିସର ନୀରବତାକୁ ନେି ପ୍ରଶ୍ନ ଉଠିବାରେ ଲାଗିଛି ।

ସ୍କୁଲରେ ଥିବା ବେଳେ କିପରି ସଂପୃକ୍ତ ଯୁବକ ଝିଅକୁ ଅପହରଣ କରିବାକୁ ସାହସ କଲା ? ଅନ୍ୟ ଛାତ୍ରୀ କି ସ୍କୁଲର ଶିକ୍ଷକ ଏ ସଂପର୍କରେ ପରିବାରକୁ କାହିଁକି ଜଣାଇଲେ ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଏହି ଘଟଣାକୁ ପୋଲିସ ଯେତିକି ଗୁରୁତର ସହ ନେବା କଥା ସେଭଳି ନେଇନାହିଁ । ପରିବାର ଲୋକ ବାରମ୍ବାର ଥାନାକୁ ଦୌଡି ଦୌଡି ନିରାଶ ହେଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।