ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ; କପି ଓ ପ୍ରଶ୍ନପତ୍ର ଲିକ ରୋକିବାକୁ ବୋର୍ଡର କଡ଼ା ପଦକ୍ଷେପ
ଭୁବନେଶ୍ବର: ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଏଥର କପି ଓ ପ୍ରଶ୍ନପତ୍ର ଲିକ ରୋକିବାକୁ ବୋର୍ଡ ନେଇଛି କଡ଼ା ପଦକ୍ଷେପ । ପ୍ରଶ୍ନପତ୍ର ଲିକ୍ ହେଲେ ଜଣାପଡ଼ିବ କେଉଁଠୁ ଲିକ୍ ହୋଇଛି । କାରଣ ଏଥର ପ୍ରଥମଥର ପାଇଁ ପ୍ରଶ୍ନପତ୍ରରେ ରହିବ କ୍ୟୁଆର କୋର୍ଡ ଓ ୱାଟର ମାର୍କ । ଏହାସହ ସିରିଆଲ ନମ୍ବର ମଧ୍ୟ ରହିବ । ଯାହାଦ୍ବାରା କେଉଁଠୁ ପ୍ରଶ୍ନପତ୍ର ଲିକ ହୋଇଛି ତାହା ସହଜରେ ଜଣାପଡିଯିବ । ଏହା ଭାଇରାଲ ହେବାରୁ ରୋକିବ ବୋଲି ପ୍ରେସମିଟ କହିଛନ୍ତି ବୋର୍ଡ ସଭାପତି ।
ମାର୍ଚ୍ଚ ୬ ଯାଏ ମାଟ୍ରିକ ପରୀକ୍ଷା ଚାଲିବାକୁ ଥିବାବେଳେ ଗୋଟିଏ ସିଟିଂରେ ସକାଳ ୯ଟାରୁ ପରୀକ୍ଷା ହେବ । ୩ ହଜାର ୧୩୩ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୩୧୪ଟି ନୋଡାଲ ସେଣ୍ଟରରେ ରହିବ ପ୍ରଶ୍ନପତ୍ର । ୨୧ଟି ନୋଡାଲ ସେଣ୍ଟର ଥାନାରେ କରାଯାଇଛି । କନ୍ଧମାଳ, କୋରାପୁଟ, ମାଲକାନଗିରିରେ ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ସବୁ ନୋଡାଲ ସେଣ୍ଟରରେ ଲାଗିବ ସିସିଟିଭି । ଫେବୃଆରୀ ୧୦ ତାରିଖରୁ ବୋର୍ଡ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରାଯାଇପାରିବ । ୧୨ ତାରିଖରୁ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ଯିବ । ୧୯ ତାରିଖ ସୁଦ୍ଧା ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର । ଠିକ୍ ଭାବେ ପରୀକ୍ଷା ଦେବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି ।
ଏଥର ୪ ସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା ରହିବ । ମୋଟ୍ ୧୭୨ଟି ସ୍କ୍ୱାଡ ଟିମ ପରୀକ୍ଷା ଉପରେ ନଜର ରଖିବ । ସବୁ ନୋଡାଲ ସେଣ୍ଟରରୁ ଲାଇଭ ଟେଲିକାଷ୍ଟ କରାଯିବ । ଏଆଇ ଟେକ୍ନୋଲଜି ବୋର୍ଡ ପ୍ରଯୋଗ କରିବ ବୋଲି କହିଛି । ଛାତ୍ରଛାତ୍ରୀ କେନ୍ଦ୍ରରେ ପହଞ୍ଚିଲେ ପ୍ରଶ୍ନପତ୍ର ପହଞ୍ଚିବ । ୭ଟା ୩୦ରୁ ୮ଟା ୩୦ ଭିତରେ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ଏଥର ୫ ଲକ୍ଷ ୧୦ ହଜାର ୭୭୮ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମାସେ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ବୋର୍ଡ ସଭାପତି ।