ଖୁବଶୀଘ୍ର ସ୍ୱାଭାବିକ ହେବ ମୋ ବସ୍ ସେବା, ୧୭ଟି ରୁଟରେ ଗଡ଼ିଲା ୧୦୯ଟି ମୋ ବସ୍

ଭୁବନେଶ୍ୱର: ସ୍ୱାଭାବିକ ଅବସ୍ଥାକୁ ଫେରୁଛି ମୋ ବସ୍ ସେବା । ପର୍ଯ୍ୟାୟ କ୍ରମେ ରୁଟ୍ ଓ ବସ୍ ସଂଖ୍ୟାକୁ ବୃଦ୍ଧି କରୁଛି କ୍ରୁଟ୍ । ପୂର୍ବରୁ ୮ଟି ରୁଟରେ ୪୭ଟି ବସ୍ ଚାଲୁଥିବା ବେଳେ ବର୍ତ୍ତମାନ ଉଭୟ ରୁଟ୍ ଓ ବସ୍ ସଂଖ୍ୟା ବୃଦ୍ଧି କରାଯାଇଛି । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ପକ୍ଷରୁ ତ୍ୱରାନ୍ୱିତ ହେଲା ମୋ ବସ୍ ସେବା । ଯାତ୍ରୀଙ୍କ ସୁବିଧା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୃଦ୍ଧି ହେଲା ଉଭୟ ରୁଟ୍‌ ଓ ବସ୍ ସଂଖ୍ୟା ।

ପୂର୍ବରୁ ୮ଟି ରୁଟ୍‌ରେ ମୋ ବସ୍ ସେବା ଉପଲବ୍ଧ ଥିବା ବେଳେ ବର୍ତ୍ତମାନ ୧୭ଟି ରୁଟ୍‌ରେ ୧୦୯ଟି ମୋ ବସରେ ଚଳାଚଳ ଆରମ୍ଭ କରିଛି କ୍ରୁଟ୍ । ୨୦ରୁ ୪୦ମିନିଟ୍ ସମୟ ବ୍ୟବଧାନରେ ଗୋଟିଏ ରୁଟରେ ଏକାଧିକ ବସର ବ୍ୟବସ୍ଥା କରିଛି କ୍ରୁଟ୍ । ଭୁବନେଶ୍ୱର ଠାରୁ କଟକ, ପୁରୀ, କୋଣାର୍କ, ଖୋର୍ଧା ଓ ନନ୍ଦନକାନକ ଆଦି ରୁଟରେ ଗଡ଼ିଲା ମୋ ବସ୍ ।

ମୋ ବସରେ ସୁରକ୍ଷିତ ଯାତାୟତ କରୁଛନ୍ତି ଯାତ୍ରୀ । ତେବେ କୋଭିଡ୍ କଟକଣା ଯୋଗୁଁ ବସ ଚଳାଚଳ ବନ୍ଦ ପରେ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେପଟେ ଟ୍ରେନ୍ ଚଳାଚଳ ଓ ବସ୍ ଚଳାଚଳ ସ୍ୱାଭାବିକ ହୋଇନଥିବା ବେଳେ ଯାତ୍ରୀଙ୍କ ପାଇଁ ମୋ ବସ୍ ହେଉଛି ଏକମାତ୍ର ବିକଳ୍ପ ।

ବସ୍ ଚଳାଚଳ ସହ କୋଭିଡ୍ କଟକଣାକୁ ମଧ୍ୟ ସମାନ୍ତରାଳ ଭାବେ ଗୁରୁତ୍ୱ ଦେଇଛି କ୍ରୁଟ୍ । ନିୟମିତ ବିଶୋଧନ ସହ ସାମାଜିକ ଦୂରତା ଏପରିକି ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।

Leave a Reply