ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ, କ୍ୟାନ୍ସର ରୋଗୀଙ୍କୁ ୧ କିଲୋମିଟର ଷ୍ଟ୍ରେଚରରେ ବୋହିଲେ
ବାଲେଶ୍ୱର: କ୍ୟାନ୍ସର ରୋଗୀଙ୍କ ପାଇଁ ପୁଣି ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କ୍ୟାନ୍ସର ରୋଗୀଙ୍କୁ ୧ କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ଗାଁର ବରେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ପରିବାର ଲୋକେ ନିକଟସ୍ଥ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ନିକଟସ୍ଥ ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଇଶ୍ୱରପୁର ଗାଁ ଅଭିମୁଖେ ବାହାରିଯାଇଥିଲା ।
ମାତ୍ର ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଅଟକି ରହିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଇଏମଟି ବିଜୟୀ କିସନ ସେନ୍ଦ୍, ଡ୍ରାଇଭର ଗୟାଧର ଦାସ ଏବଂ ଆଟେଡାଣ୍ଟ ପ୍ରଶାନ୍ତ କୁମାର ବେହେରା ଏକ ଷ୍ଟ୍ରେଚର ଧରି ଯାଇ ରୋଗୀଙ୍କ ନୀକଟରେ ପହଂଚିଥିଲେ । ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ପରିବାର ଲୋକଙ୍କ ସହାୟତାରେ ରୋଗୀଙ୍କୁ ଷ୍ଟ୍ରେଚରରେ ୧ କିଲୋମିଟର ରାସ୍ତା ଚାଲି ଚାଲି ଆଣି ଆମ୍ବୁଲାନ୍ସ ନୀକଟରେ ପହଞ୍ଚାଇଥିଲେ । ପରେ ସେଠାରୁ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏପରି କାର୍ଯ୍ୟକୁ ସଭିଏଁ ପ୍ରଶଂସା କରିଛନ୍ତି ।