ବିଜୁ ପଟ୍ଟନାୟକ: ପ୍ରବାଦ ପୁରୁଷ, ଝଡ଼ର ଇଗଲ

1 min read

ଭୁବନେଶ୍ୱର: ପ୍ରତିଟି ଓଡ଼ିଆ ପ୍ରାଣରେ ସେ ଭିନ୍ନ ଭିନ୍ନ ଭାବନାରେ ସ୍ଥାନିତ । କିଏ କହେ ତାଙ୍କୁ ମାଟିର ବରପୁତ୍ର, କିଏ କହେ ’ଝଡ଼ର ଇଗଲ’ । ସେ କିନ୍ତୁ ’କଳିଙ୍ଗ ବୀର’, ନବ ଓଡ଼ିଶାର ପ୍ରମୁଖ ବିନ୍ଧାଣୀ । କୋଟି ଓଡ଼ିଆଙ୍କ ମୁଖନିସୃତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଆଜନ୍ମ ସାହାସୀ, ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ବିଜୁବାବୁଙ୍କ କେବଳ ଓଡ଼ିଆ ଚିହ୍ନେନା; ସାରା ବିଶ୍ୱରେ ତାଙ୍କ ଦୁର୍ଦ୍ଧର୍ଷ ମାନସିକତାର, ତାଙ୍କ ଦୂରଦୃଷ୍ଟି, ତାଙ୍କ କର୍ମନିପୁଣ ଜୀବନର ପ୍ରଶଂସା ଶୁଣିବାକୁ ମିଳେ । ତାଙ୍କ ଅବର୍ତ୍ତମାନରେ ବି ଏ ଓଡ଼ିଶା ମାଟିରେ ସେ ଅବିସ୍ମରଣୀୟ, ଅତୁଳନୀୟ, ଅବର୍ଣ୍ଣନୀୟ ।

ବିଜୟାନନ୍ଦ ପଟ୍ଟନାୟକ-ଆମର ପ୍ରିୟ ବିଜୁ ବାବୁ । ୧୯୧୬, ମାର୍ଚ୍ଚ ୫ରେ ଜନ୍ମ ନେଇଥିଲେ । ପିତା- ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ମା- ଆଶାଲତା ଦେବୀ । ସ୍ୱାଧିନତା ସଂଗ୍ରାମରେ ବିଜୁଙ୍କ ଭୂମିକା ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା । ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅତି ପ୍ରିୟ ଅନୁଗତ ଥିଲେ ବିଜୁ । ଯୁବାବସ୍ଥାରୁ ରାଜନୀତିରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ରାଜନେତା ଭାବେ ସେ ଥିଲେ ସାହାସୀ, ସ୍ୱାଭିମାନୀ, ଦୂରଦ୍ରଷ୍ଟା । ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଦେଖିଥିଲେ ସ୍ୱପ୍ନ ।

ସ୍ୱାଧୀନତା ପୂର୍ବରୁ ସେ କଟକ ଉତ୍ତର ଆସନରୁ ୧୯୪୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରଡ଼ା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୬୦ ଦଶକ ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ ବିଜୁବାବୁ । ବିଜୁବାବୁଙ୍କ ନେତୃତ୍ୱରେ ୧୪୦ ଆସନରୁ ୮୨ ଆସନ ଜିତିଥିଲା କଂଗ୍ରେସ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ବିଜୁଙ୍କ ହାତରେ । ମୁଣ୍ଡ ଟେକିଥିଲା ବହୁ ଶିଳ୍ପ ।

ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବିଜୁ ବାବୁ ଥିଲେ ବେଶ୍ ପ୍ରଭାବଶାଳୀ । ନେହେରୁ ହୁଅନ୍ତୁ ବା ଇନ୍ଦିରା, ସବୁ ସମୟରେ ବିଜୁବାବୁଙ୍କର ଥିଲା ଅଖଣ୍ଡ ପ୍ରଭାବ । ସାଲିସ ବିହୀନ ରାଜନୀତି ଥିଲା ତାଙ୍କର ମନ୍ତ୍ର । ଯେଉଁଥିପାଇଁ ସେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ନାଁରେ ନୂଆ ଆଞ୍ଚଳିକ ଦଳ ଗଢ଼ିଥିଲେ । ପରବର୍ତ୍ତୀ ସମୟରେ ଜନତା ଦଳକୁ ଯାଇଥିଲେ ବିଜୁ ପଟ୍ଟନାୟକ । ଜରୁରୀ ପରିସ୍ଥିତି ବିରୋଧରେ ଲଢ଼ି ଜେଲ ମଧ୍ୟ ଯାଇଥିଲେ ବିଜୁବାବୁ । ପରେ ଜନତା ପାର୍ଟି କେନ୍ଦ୍ରରେ ସରକାର ଆସିବା ପରେ ବିଜୁ ପଟ୍ଟନାୟକ ହୋଇଥିଲେ କ୍ୟାବିନେଟ ମନ୍ତ୍ରୀ । ସେତେବେଳେ ସେ କେନ୍ଦ୍ରାପଡ଼ାରୁ ସାଂସଦ ଥିଲେ । ପରବର୍ତ୍ତୀ ସମୟରେ ଦେଶବ୍ୟାପୀ କଂଗ୍ରେସ ଲହର ସତ୍ତ୍ୱେ କେନ୍ଦ୍ରାପଡ଼ାରୁ ଲଗାତର ଦୁଇଥର ସାଂସଦ ହୋଇଥିଲେ । ୧୯୮୯ରେ ଭିପି ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ବିଜୁବାବୁ ଥିଲେ ପରଦା ପଛର ନାୟକ । ୧୯୯୦ରେ ବିଜୁ ପଟ୍ଟନାୟକଙ୍କର ଏମିତି ଲହରୀ ଆସିଲା ଯେଉଁଥିରେ କି କଂଗ୍ରେସ ପୂରା ସଫା ହୋଇଯାଇଥିଲା । ରେକର୍ଡ ସଂଖ୍ୟକ ଆସନରେ ବିଜୟଲାଭ କରି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ବିଜୁ ପଟ୍ଟନାୟକ । ପରେ ୧୯୯୬ରେ କଟକରୁ ଓ ପରେ ଆସିକା ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ବିଜୁ ପଟ୍ଟନାୟକ ।

ଏହା ପରେ ୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଜୁବାବୁ । ବିଜୁବାବୁଙ୍କ ପରଲୋକ ସହ ଏକ ଯୁଗର ପରିସମାପ୍ତି ହେଲା । ତାଙ୍କ ଶେଷ ଦର୍ଶନ ପାଇଁ ସାରା ଦେଶରୁ ରାଜନେତା ଛୁଟି ଆସିଥିଲେ । ପ୍ରିୟ ନେତାଙ୍କୁ ବିଦାୟ ଦେବାକୁ ଜନସମୁଦ୍ର ମାଡ଼ି ଆସିଥିଲା ରାଜରାସ୍ତାକୁ । ବିଜୁବାବୁ ଆଜି ନାହାନ୍ତି ସତ କିନ୍ତୁ ଆଜି ବି ବିଜୁବାବୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଅମର ହୋଇରହିଛନ୍ତି ।