ବେଙ୍ଗାଲୁରୁ ଟେଷ୍ଟର ଆଜି ଅନ୍ତିମ ଦିବସ, ବିଜୟ ପାଇଁ ନ୍ଯୁଜିଲାଣ୍ଡ ଆଗରେ ୧୦୭ ରନର ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ବେଙ୍ଗାଲୁରୁ ଟେଷ୍ଟର ଆଜି ଅନ୍ତିମ ଦିବସ । ବିଜୟ ପାଇଁ ନ୍ଯୁଜିଲାଣ୍ଡ ଆଗରେ ରହିଛି ୧୦୭ ରନର ଟାର୍ଗେଟ । ଏଣୁ ଭାରତୀୟ ବୋଲରଙ୍କ ଆଜି ଆଜି କର ବା ମର ସ୍ଥିତି । ୧୦୭ ରନ ଭିତରେ ନ୍ଯୁଜିଲାଣ୍ଡକୁ ଅଟକାଇବାରେ ସକ୍ଷମ ହେଲେ ଭାରତ ବିଜୟୀ ହୋଇପାରିବ । ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ୪୬୨ ରନ କରି ଗତକାଲି ଅଲଆଉଟ ହୋଇଯାଇଥିଲା । ସରଫରାଜ ଖାଁ ନିଜର ଶତକ ପୂରଣ କରିଥିଲେ । ଶତକ ପୂରଣ କରିବା ପରେ ବି ସେ ନିଜର ବ୍ୟାଟିଂ ଜାରି ରଖି ୧୫୦ ରନ ପୂରଣ କରିଥିଲେ ଓ ସାଉଥଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ସହିତ ଏକ ଭଲ ପାର୍ଟନରସିପ୍ କରିଥିବା ଋଷଭ ପନ୍ତ ୯୯ ରନ କରି ଆଉଟ ହୋଇଥିଲେ । ଫଳରେ ସେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ପନ୍ତ ଆଉଟ ହେବା ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୨୯ ରନରେ ପରବର୍ତ୍ତୀ ୫ ଜଣ ବ୍ୟାଟ୍ସମ୍ୟାନ ପାଭିଲିଅନ ଫେରିଥିଲେ । ଶେଷରେ ୪୬୨ ରନ କରି ଭାରତ ଅଲଆଉଟ ହୋଇଯାଇଛି । ଆଜି ନ୍ଯୁଜିଲାଣ୍ଡ ଦ୍ବିତୀୟ ଇନିଂସ ଖେଳିବା ସହ ବିଜୟ ଟାର୍ଗେଟକୁ ପିଛା କରିବ । ଭାରତୀୟ ବୋଲର ନ୍ଯୁଜିଲାଣ୍ଡ ବ୍ଯାଟ୍ସମ୍ଯାନଙ୍କୁ ଅଟକାଇବାକୁ ସମସ୍ତ ପ୍ରକାର ରଣକୌଶଳ ପ୍ରୟୋଗ କରିବେ ।