ପହଞ୍ଚି ପାରିଲାନି ୧୦୨, ଗର୍ଭବତୀଙ୍କୁ ନିଜେ ଖଟିଆରେ ଟେକି ଆଣିଲେ ଆମ୍ବୁଲାନ୍ସ ଚାଳକ

ଗୁଣପୁର: ପ୍ରସବ ବେଦନା ଆରମ୍ଭ ହେବାରୁ ଘର ଲୋକ ଆମ୍ବୁଲାନ୍ସକୁ ଡାକିଥିଲେ । ଆମ୍ବୁଲାନ୍ସ ତ ଆସିଲା କିନ୍ତୁ ରାସ୍ତା ଖରାପ ଥିବାରୁ ଘର ପାଖରେ ପହଞ୍ଚି ପାରିନଥିଲା । ଘର ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଅଟକି ରହିଥିଲା ୧୦୨ ଆମ୍ବୁଲାନ୍ସ । ସଙ୍ଗେ ସଙ୍ଗେ କାଳବିଳମ୍ବ ନକରି ଆମ୍ବୁଲାନ୍ସ ଚାଳକ ପ୍ରଦୀପ ଜେନା ଚାଲି ଚାଲି ପହଞ୍ଚିଥିଲେ ପ୍ରସୂତିଙ୍କ ଘରେ । ମାନବିକତା ଦେଖାଇଥିବା ଏ ଘଟଣା ହେଉଛି ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ କେରେଞ୍ଜାଗୁଡ଼ା ଗାଁର ।

ଆମ୍ବୁଲାନ୍ସ ଚାଳକ ପହଞ୍ଚିବା ବେଳକୁ ମହିଳା ଜଣକ କନ୍ୟା ସନ୍ତାନକୁ ଜନ୍ମ ଦେଇ ସାରିଥିଲେ । ତାପରେ ଆମ୍ବୁଲାନ୍ସ ଡ୍ରାଇଭର ପ୍ରଦୀପ ଜେନା ପ୍ରସୂତିଙ୍କୁ ନିଜେ ଖଟିଆରେ ବୋହି ଆଣିଥିଲେ ଆମ୍ବୁଲାନ୍ସ ନିକଟକୁ । କେରେଞ୍ଜାଗୁଡ଼ା ଗାଁରୁ ପ୍ରାୟ ୫ କିଲୋମିଟର ମାଟି ଗୋଡ଼ି ରାସ୍ତାରେ ଚାଳକ ଜଣଙ୍କ ପ୍ରସୂତି ଓ ନବଜାତକୁ ଖଟିଆରେ ଆଣିଥିଲେ । ତାପରେ ମାଆ ଓ ଛୁଆଙ୍କୁ ଗୁଡାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।

ମାଆ ଓ ଛୁଆ ଦୁହେଁ ଏବେ ସୁସ୍ଥ ଅଛନ୍ତି । ଆମ୍ବୁଲାନ୍ସ କର୍ମଚାରୀ ପ୍ରଦୀପଙ୍କ ଏଭଳି କାମ ପାଇଁ ତାଙ୍କୁ ସବୁ ଆଡ଼ୁ ସାବାସୀ ମିଳୁଛି । ଅନେକ ସମୟରେ ଅଭିଯୋଗ ହୁଏ ଆମ୍ବୁଲାନ୍ସ ନ ଆସିବାରୁ କେଉଁଠି କାହାର ଜୀବନ ଚାଲିଗଲା ତ ଆଉ କେଉଁଠି ବାରମ୍ବାର ଫୋନ୍ ପରେ ଆମ୍ବୁଲାନ୍ସ ଆସିଲାନି । ତେବେ, ପ୍ରଦୀପ ଏସବୁକୁ ଭୁଲ୍ ପ୍ରମାଣିତ କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Leave a Reply