ଏନଡିଏ ପରୀକ୍ଷାରେ ୧,୦୦୨ ମହିଳାଙ୍କ ସଫଳତା

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାରୀ ଶକ୍ତିଙ୍କୁ ସାମିଲ କରାଯିବା ପରେ ଏଥିପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି । ପୁରୁଷଙ୍କ ପରି ମହିଳା ମଧ୍ୟ ଦେଶ ସୁରକ୍ଷା ପାଇଁ ବହୁ ସଂଖ୍ୟାରେ ଆଗେଇ ଆସୁଛନ୍ତି । ପ୍ରଥମ ଥର ଲାଗି ନ୍ୟାସନାଲ ଡିଫେନସ ଏକାଡେମି ବା ଏନଡିଏରେ ସଫଳତା ଲାଭ କରିଛନ୍ତି ୧ ହଜାର ୨ ଜଣ ମହିଳା ପ୍ରାର୍ଥୀ । ଗତ ନଭେମ୍ବର ୧୪ରେ ଅନୁଷ୍ଠିତ କେନ୍ଦ୍ର ଲୋକସେବା ଆୟୋଗ ବା ୟୁପିଏସସି ପରୀକ୍ଷାରେ ମହିଳା ପ୍ରାର୍ଥୀ ଏହି ସଫଳତା ହାସଲ କରିଛନ୍ତି ।

ବର୍ତ୍ତମାନ ସର୍ଭିସ ସିଲେକ୍ସନ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେବା ସହ ସେମାନଙ୍କର ମେଡିକାଲ ଟେଷ୍ଟ କରାଯିବ । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଆସନ୍ତାବର୍ଷର ଏନଡିଏ କୋର୍ସ ପାଇଁ ମନୋନୀତ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ସେନା, ନୌସେନା ଓ ଭାରତୀୟ ବାୟୁସେନାରେ ଅଫିସର ଭାବେ ନିଯୁକ୍ତି ଦିଆଯିବ । ସେଥିରୁ ସର୍ବାଧିକ ୧୦ ଜଣଙ୍କୁ ସେନାରେ ସାମିଲ କରାଯିବ । ଆସନ୍ତାବର୍ଷ ଏନଡିଏ ମୋଟ ୪୦୦ କ୍ୟାଡେଟଙ୍କୁ ଗ୍ରହଣ କରିବ ଏବଂ ସେମାନଙ୍କ ମଧ୍ୟରୁ କେବଳ ସେନାରେ ୨୦୮ କ୍ୟାଡେଟଙ୍କୁ ସାମିଲ କରାଯିବ । ଏହି ୨୦୮ କ୍ୟାଡେଟଙ୍କ ଭିତରେ ୧୦ ଜଣ ମହିଳାଙ୍କୁ ସୁଯୋଗ ଦିଆଯିବ । ସେହିପରି ନୌସେନାରେ ୪୨ କ୍ୟାଡେଟଙ୍କୁ ଗ୍ରହଣ କରାଯିବ । ଯେଉଁଥିରେ ୩ ଜଣ ରହିବେ ମହିଳା କ୍ୟାଡେଟ । ବାୟୁସେନାରେ ୧୨୦ କ୍ୟାଡେଟଙ୍କୁ ସାମିଲ କରାଯିବ, ଯେଉଁଥିରେ ମହିଳା କ୍ୟାଡେଟ ରହିବେ ୬ ଜଣ ।

ଏନଡିଏରେ ସାମିଲ ହେବାଲାଗି ମୋଟ ୫ ଲକ୍ଷ ୭୫ ହଜାର ୮୫୬ ପ୍ରାର୍ଥୀ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୧ ଲକ୍ଷ ୭୭ ହଜାର ୬୫୪ । ପରିବର୍ତ୍ତିତ ନିୟମ ଅନୁସାରେ ମହିଳା ଇନଷ୍ଟ୍ରକ୍ଟର, ଡାକ୍ତର, ଗାଏନେକୋଲୋଜିଷ୍ଟ ଓ ଅନ୍ୟାନ୍ୟ ଷ୍ଟାଫଙ୍କୁ ପ୍ରଥମଥର ଲାଗି ନିଯୁକ୍ତି ଦିଆଯିବ । ୧୯୫୫ରେ ପୁଣେର ଖାଦାକ୍ବାସଲାରେ ପ୍ରତିଷ୍ଠିତ ଏନଡିଏରେ ୧୮ଟି ସ୍କ୍ବାଡ୍ରନ ରହିଛି । ପ୍ରତି ସ୍କ୍ବାଡ୍ରନରେ ୧୨୦ ଜଣ କ୍ୟାଡେଟ ରହିଛନ୍ତି । ପ୍ରତିଷ୍ଠାନରେ ମୋଟ ୨ ହଜାର ୨୦ ଜଣ କ୍ୟାଡେଟ ରହିଛନ୍ତି । ଗତ ସେପ୍ଟେମ୍ବରରେ ମହିଳାଙ୍କୁ ଏନଡିଏରେ ନେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୧୫୦ ମହିଳାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏନଡିଏରେ ନିଆଯିବାର ସମ୍ଭାବନା ରହିଛି ।

Leave a Reply